FeaturedLatestNews

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି

ଭୁବନେଶ୍ୱର (ସଂକେତ ଟିଭି): ସୁଭଦ୍ରା ଯୋଜନାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଯୋଜନା ଅନ୍ତର୍ଗତ ୨୦୨୬-୨୭ ବର୍ଷ ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂଆ ଆବେଦନ କରିଛନ୍ତି। ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ନୂଆ ଆବେଦନଗୁଡ଼ିକରେ ଡିବିଟି (DBT), ଇ-କେୱାଇସି (e-KYC), ଫିଲ୍ଡ ଭେରିଫିକେସନ ଏବଂ ବ୍ୟାଙ୍କ ସମନ୍ୱୟ ସମ୍ବନ୍ଧୀୟ କିଛି ସମସ୍ୟା ରହିଛି। ଏହାର ସମାଧାନ ପାଇଁ ୮୨ ହଜାର ୩୬ଟି ଡିବିଟି ସକ୍ରିୟକରଣ, ୨୮ ହଜାର ୬୨୧ଟି ବାୟୋମେଟ୍ରିକ୍ ଇ-କେୱାଇସି ଏବଂ ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ଡ ଇନକ୍ବାରୀ ମାମଲାକୁ ଶୀଘ୍ର ସରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପ୍ରକ୍ରିୟା ପାଇଁ ବ୍ଲକ୍ କମିଟି ଫିଲ୍ଡ ତଦନ୍ତ କରି ଜିଲ୍ଲା କମିଟିକୁ ରିପୋର୍ଟ ଦେବ। ଜିଲ୍ଲା କମିଟି ଜୁଲାଇ ୨୫ ତାରିଖ ମଧ୍ୟରେ ରାଜ୍ୟ କମିଟିକୁ ନିଜ ରିପୋର୍ଟ ପ୍ରଦାନ କରିବେ। ସେହିପରି ଯେଉଁ ହିତାଧିକାରୀମାନେ ବାୟୋମେଟ୍ରିକ୍ ଦେଇନାହାନ୍ତି, ସେମାନଙ୍କର ତାଲିକା ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ରହିଛି। ସେମାନଙ୍କୁ ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ଯାଇ ଜୁଲାଇ ୨୫ ମଧ୍ୟରେ ଫିଙ୍ଗର ପ୍ରିଣ୍ଟ ଦେଇ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଦାନ କରାଯିବ। ଏହାସହ ପୂର୍ବରୁ ଯେଉଁମାନଙ୍କର ୫ ଏକର ଜମି ନଥିଲେ ମଧ୍ୟ ବାଦ୍ ପଡ଼ିଯାଇଥିଲେ, ସେମାନେ ବର୍ତ୍ତମାନ ଫିଲ୍ଡ ତଦନ୍ତ ମାଧ୍ୟମରେ ଅଭିଯୋଗ କରିପାରିବେ। ଯଦି ପ୍ରଥମରୁ ଯୋଗ୍ୟ ଥାଇ ମଧ୍ୟ କିଏ ଯୋଜନାର ଲାଭ ପାଇନଥାଏ, ତେବେ ସେ ଯୋଗ୍ୟ ପ୍ରମାଣିତ ହେଲେ ଏକାବେଳକେ ୫ଟି କିସ୍ତି ପାଇବ। ଉପମୁଖ୍ୟମନ୍ତ୍ରୀ ଶୁକ୍ରବାର ଲୋକସେବା ଭବନରେ ଏହାର ସମୀକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *