FeaturedLatestNews

ସୁପର ପ୍ରିମିୟମ୍ ଫୁଲ୍ ସ୍ଲିପର୍ ଏସି ବସ୍ ପାଇଁ ନୂଆ ଭଡ଼ା, ୩.୫୦ ଟଙ୍କା ପ୍ରତି କିମି ଧାର୍ଯ୍ୟ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ସରକାର ରାଜ୍ୟରେ ଚଳାଚଳ କରିବାକୁ ଥିବା ସମ୍ପୂର୍ଣ୍ଣ ସ୍ଲିପର୍ ସୁବିଧାଯୁକ୍ତ ପ୍ରିମିୟମ୍ ଏସି ବସ୍ଗୁଡ଼ିକ ପାଇଁ ନୂଆ ଭଡ଼ା ହାର ଘୋଷଣା କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଏହି ନୂଆ ଶ୍ରେଣୀର ବସ୍ ରେ ପ୍ରତି କିଲୋମିଟର ପ୍ରତି ଯାତ୍ରୀ (ବର୍ଥ) ପିଛା ସର୍ବାଧିକ ୩ ଟଙ୍କା ୫୦ ପଇସା ଭଡ଼ା ଆଦାୟ କରାଯିବ। ରାଜ୍ୟ ଗେଜେଟ୍ ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହି ନୂଆ ଭଡ଼ା କାର୍ଯ୍ୟକାରୀ ହେବ ବୋଲି ସ୍ପଷ୍ଟ କରାଯାଇଛି।

ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ଦ୍ୱାରା ଗଠିତ ବୈଷୟିକ କମିଟିର ସୁପାରିସ ଆଧାରରେ ଏହି ଭଡ଼ା ହାର ନିର୍ଦ୍ଧାରଣ କରାଯାଇଛି। ତେବେ ସାଧାରଣ, ଏକ୍ସପ୍ରେସ୍, ଡିଲକ୍ସ, ଏସି ଏବଂ ବର୍ତ୍ତମାନ ଚାଲୁଥିବା ସୁପର ପ୍ରିମିୟମ୍ ବସ୍ଗୁଡ଼ିକର ଭଡ଼ାରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହି ସବୁ ଶ୍ରେଣୀର ବସ୍ ପାଇଁ ପୂର୍ବରୁ ଘୋଷିତ ଭଡ଼ା ହିଁ ବଳବତ୍ତର ରହିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ବିଜ୍ଞପ୍ତିରେ କଡ଼ାକଡ଼ି ଭାବେ ଉଲ୍ଲେଖ କରାଯାଇଛି ଯେ, ସରକାର ଧାର୍ଯ୍ୟ କରିଥିବା ଏହି ଭଡ଼ା ସର୍ବାଧିକ ଆଦାୟଯୋଗ୍ୟ ଭଡ଼ା ହେବ। କୌଣସି ବସ୍ ମାଲିକ କିମ୍ବା ପରିଚାଳକ ଏହି ନିର୍ଦ୍ଧାରିତ ହାରଠାରୁ ଅଧିକ ଭଡ଼ା ନେଇପାରିବେ ନାହିଁ। ଏହି ନିୟମର କଡ଼ାକଡ଼ି ପାଳନ, ପରମିଟ୍ ଅନୁମୋଦନ, ଭଡ଼ା ତାଲିକା ପ୍ରଦର୍ଶନ ଏବଂ ଟିକେଟ୍ ବ୍ୟବସ୍ଥାର ତଦାରଖ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ଓ ଆଞ୍ଚଳିକ ପରିବହନ ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି, ୨୦୨୬ ବର୍ଷ ପାଇଁ ବସ୍ ଭଡ଼ାର ସାମଗ୍ରିକ ସଂଶୋଧନ ସମ୍ପର୍କରେ ବୈଷୟିକ କମିଟି ଯେଉଁ ରିପୋର୍ଟ ପ୍ରଦାନ କରିଛି, ତାକୁ ବିଚାର କରି ସରକାର ଆବଶ୍ୟକ ହେଲେ ଏହି ଭଡ଼ାରେ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ଆଣିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।