FeaturedLatestSports

ଆଫଗାନିସ୍ତାନକୁ ଗୋଟିଏ ଇନିଂସ ଏବଂ ୩୦୦ ରନ୍‌ରେ ପରାଜିତ କଲା ଟିମ୍ ଇଣ୍ଡିଆ

ଚଣ୍ଡିଗଡ (ସଂକେତ ଟିଭି): ମୁଲ୍ଲାନପୁର ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଆଫଗାନିସ୍ତାନକୁ ଗୋଟିଏ ଇନିଂସ ଏବଂ ୩୦୦ ରନ୍‌ରେ ପରାସ୍ତ କରିଛି। ଟେଷ୍ଟ କ୍ରିକେଟ୍ ଇତିହାସରେ ଏହା ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ବିଜୟ ଥିଲା।

ଏହି ଟେଷ୍ଟ ମ୍ୟାଚ୍ ତୃତୀୟ ଦିନର ତୃତୀୟ ସେସନ୍‌ରେ ହିଁ ଶେଷ ହୋଇଯାଇଥିଲା। ଇନିଂସ ବ୍ୟବଧାନ ହିସାବରେ ଟେଷ୍ଟ କ୍ରିକେଟରେ ଭାରତୀୟ ଦଳର ଏହା ସବୁଠାରୁ ବଡ଼ ବିଜୟ ଥିଲା। ଏହା ପୂର୍ବରୁ ଭାରତ ଅକ୍ଟୋବର ୨୦୧୮ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ରାଜକୋଟ ମଇଦାନରେ ଏକ ଇନିଂସ ଏବଂ ୨୭୨ ରନରେ ବିଜୟ ହାସଲ କରିଥିଲା।

ଏହି ମୁକାବିଲାରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ନିଜର ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୫୬୪ ରନ୍ କରି ପାଳି ଘୋଷଣା କରିଥିଲା।

ଏହାପରେ ଆଫଗାନିସ୍ତାନ ଦଳ ନିଜର ପ୍ରଥମ ଇନିଂସରେ ୧୫୨ ରନରେ ଅଲ୍‌ଆଉଟ୍ ହୋଇଯାଇଥିଲା ଏବଂ ଦଳକୁ ଫଲୋଅନ୍ ଖେଳିବାକୁ ପଡ଼ିଥିଲା। ପ୍ରଥମ ଇନିଂସ ଆଧାରରେ ଭାରତକୁ ୪୧୨ ରନର ଏକ ବଡ଼ ଅଗ୍ରଣୀ ମିଳିଥିଲା। ଏହାପରେ ଆଫଗାନିସ୍ତାନର ଦ୍ଵିତୀୟ ଇନିଂସ ମାତ୍ର ୧୧୨ ରନରେ ଅଲ୍‌ଆଉଟ୍ ହୋଇଯାଇଥିଲା।

ଫଲୋଅନ୍ ଖେଳିବାକୁ ଓହ୍ଲାଇଥିଲେ ମଧ୍ୟ ଆଫଗାନିସ୍ତାନ ଦଳର ଆରମ୍ଭ ଭଲ ରହିନଥିଲା। ଅବ୍ଦୁଲ ମଲିକ ମାତ୍ର ୮ ରନ୍‌ରେ ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ। ଓପନର୍ ସେଦିକୁଲ୍ଲା ଅଟଲ୍ ସର୍ବାଧିକ ୪୨ ରନ୍ କରିଥିଲେ। ରହମାନୁଲ୍ଲା ଗୁରବାଜ୍ (୨୪) ଓ ରହମତ ଶାହ (୧୩) ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିଥିଲେ।

ସ୍ପିନ୍ ବୋଲର ୱାଶିଂଟନ୍ ସୁନ୍ଦର ୪ଟି ଏବଂ କୁଲଦୀପ ଯାଦବ ୩ଟି ୱିକେଟ୍ ନେଇଥିଲେ। ଶରାଫୁଦ୍ଦିନ ଆହତ ହୋଇଥିବାରୁ ବ୍ୟାଟିଂ କରିପାରିନଥିଲେ।

ଏହି ମ୍ୟାଚ୍‌ର ସବୁଠାରୁ ବଡ଼ ସକାରାତ୍ମକ ଦିଗ ଥିଲା ମାନବ ସୁଥାରଙ୍କ ପ୍ରଦର୍ଶନ। ଡେବ୍ୟୁ ଟେଷ୍ଟରେ ସେ ପ୍ରଥମ ଇନିଂସରେ ୬ଟି ଏବଂ ଦ୍ୱିତୀୟ ଇନିଂସରେ ଗୋଟିଏ କରି ମୋଟ ୭ଟି ୱିକେଟ୍ ହାସଲ କରିଥିଲେ। ନିଜର ସଠିକ୍ ଲାଇନ-ଲେନ୍ଥ ଓ ନିୟନ୍ତ୍ରଣ ଦ୍ୱାରା ସେ ଆଫଗାନ ବ୍ୟାଟ୍ସମ୍ୟାନମାନଙ୍କୁ ଚାପରେ ରଖିଥିଲେ।

ଭାରତର ଏହି ଏକ ଇନିଂସ ଓ ୩୦୦ ରନ୍ର ବିଜୟ ଟେଷ୍ଟ କ୍ରିକେଟ୍‌ରେ ଇନିଂସ ବ୍ୟବଧାନ ହିସାବରେ ଦଳର ସବୁଠାରୁ ବଡ଼ ବିଜୟ ପାଲଟିଛି। ଏହା ବ୍ୟତୀତ ଭାରତ ୨୦୨୩ ପରେ ପ୍ରଥମ ଥର ଘରୋଇ ମାଟିରେ ଟେଷ୍ଟରେ ୫୫୦ରୁ ଅଧିକ ରନ୍ ସଂଗ୍ରହ କରିଛି।

ଆଫଗାନିସ୍ତାନ ବିପକ୍ଷରେ ୫୬୪ ରନ୍ ଟେଷ୍ଟ କ୍ରିକେଟରେ ଯେକୌଣସି ଦଳ ଦ୍ୱାରା କରାଯାଇଥିବା ଦ୍ୱିତୀୟ ସର୍ବାଧିକ ସ୍କୋର। ଯଦିଓ ଏହି ମୁକାବିଲା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅଂଶ ନଥିଲା, ତେଣୁ ଭାରତୀୟ ଦଳକୁ ପଏଣ୍ଟ ଟେବୁଲରେ କୌଣସି ଲାଭ ମିଳିନାହିଁ।