FeaturedLatestNews

ପୁରୀ ରଥଯାତ୍ରା ; ୯ ଫେକ୍ ୱେବପେଜ୍ ବନ୍ଦ, ୧୬ ୟୁଆରଏଲ୍ ବ୍ଲକ୍

ଭୁବନେଶ୍ୱର (ସଂକେତ ଟିଭି): ଆଉ ମାତ୍ର କିଛି ଦିନ ପରେ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିଶାଳ ଧାର୍ମିକ ଉତ୍ସବକୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ। ହେଲେ, ଏହି ସମୟରେ ସାଇବର ଅପରାଧ ବଢ଼ିବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଏଭଳି ଠକେଇକୁ ରୋକିବା ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚ ପକ୍ଷରୁ ‘ସାଇବର ସାଥୀ’ ନାମକ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି।

ଏହି ଅଭିଯାନ ଅନ୍ତର୍ଗତ, ପୋଲିସ ଭକ୍ତ, ପର୍ଯ୍ୟଟକ, ହୋଟେଲ ମାଲିକ ଓ ସ୍ଥାନୀୟ ଲୋକଙ୍କୁ ସାଇବର ଠକେଇରୁ ସତର୍କ ରହିବାକୁ ପରାମର୍ଶ ଦେଉଛି। କ୍ରାଇମବ୍ରାଞ୍ଚ ଟିମ୍ ପୁରୀର ୭ଟି ପ୍ରମୁଖ ହୋଟେଲ ପରିଦର୍ଶନ କରି ସେମାନଙ୍କ ୱେବସାଇଟ୍ର ସୁରକ୍ଷା ଯାଞ୍ଚ କରିବା ସହ ଫେକ୍ ହୋଟେଲ ବୁକିଂ ଠକେଇ ସମ୍ପର୍କରେ ସଚେତନ କରାଇଛି।

ଅଭିଯାନ ଆରମ୍ଭ ହେବା ପରଠାରୁ ପୋଲିସ ୯ଟି ନକଲି ହୋଟେଲ ୱେବପେଜ୍ ବନ୍ଦ କରିବାରେ ସଫଳ ହୋଇଛି। ସେହିପରି ରଥଯାତ୍ରା ସମ୍ପର୍କିତ ଭ୍ରମାତ୍ମକ ସୂଚନା ଓ ପ୍ରସାଦ ଦାନ ନାଁରେ ଠକେଇ କରୁଥିବା ୧୬ଟି URLକୁ ବ୍ଲକ୍ କରାଯାଇଛି। ଓଡ଼ିଶା ପୋଲିସ ଭକ୍ତମାନଙ୍କୁ କେବଳ ବିଶ୍ୱସନୀୟ ସ୍ରୋତରୁ ହୋଟେଲ ବୁକିଂ କରିବା ଏବଂ ସାଇବର ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରିଛି।