ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ପୁରୀ (ସଂକେତ ଟିଭି): ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ସହିତ ଆଶୀର୍ବାଦ ଲାଭ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।
ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମ୍ପର୍କ ବହୁ ପ୍ରାଚୀନ। ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ, ସାମାଜିକ ଓ ଭାବଗତ ସମ୍ପର୍କ ରହିଆସିଛି। ଛତିଶଗଡର ଏକ ଜିଲ୍ଲାରୁ ମହାପ୍ରଭୁଙ୍କ ପାଇଁ ଚାଉଳ ଆସୁଛି ଏବଂ ସେହି ଅନୁସାରେ ସେହି ଗାଁର ନାମକରଣ ମଧ୍ୟ ହୋଇଛି। ଛତିଶଗଡରେ ଅନେକ ଜଗନ୍ନାଥ ମନ୍ଦିର ରହିଛି।
ତେବେ ଦୀର୍ଘ ବର୍ଷ ଧରି ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦ ଲାଗି ରହିଛି। ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ଖୁବ୍ ଶୀଘ୍ର ଏହି ଜଳ ସମସ୍ୟାର ସମାଧାନ ହେବ। ଏଥିପାଇଁ ନିକଟରେ ନୂଆ ଦିଲ୍ଲୀରେ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା। କେନ୍ଦ୍ରୀୟ ଜଳ କମିଶନ ଉଭୟ ରାଜ୍ୟର ସ୍ୱାର୍ଥ ଓ ସୁବିଧାକୁ ଦୃଷ୍ଟିରେ ରଖି ଉଚିତ୍ ନିଷ୍ପତ୍ତି ନେଇ ଏହାର ସମାଧାନ କରିବେ। ଯଦିଓ ମହାନଦୀ ଜଳ ବିବାଦ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି କିନ୍ତୁ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଶାସନରେ ଥିବା ବେଳେ କେନ୍ଦ୍ରରେ ମଧ୍ୟ ବିଜେପି କ୍ଷମତାରେ ରହିଛି। ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ଓ ବୁଝାମଣା ଭିତ୍ତିରେ ଏହାର ଶୀଘ୍ର ସମାଧାନ ହେବ ବୋଲି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ କହିଛନ୍ତି।
ଭୁବନେଶ୍ୱର କର୍ଯ୍ୟକ୍ରମ ସାରି ରବିବାର ଅପରାହ୍ନରେ ସେ ପୁରୀରେ ପହଞ୍ଚିଥିଲେ। ନିଜ ଧର୍ମପତ୍ନୀ ଓ ପରିବାର ସଦସ୍ୟଙ୍କ ସମେତ ରାୟପୁର ବିଧାୟକ, ଛତିଶଗଡ ବିଜେପି ନେତାଙ୍କ ସହ ଶ୍ରୀମନ୍ଦିର ନିକଟରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଅରୁଣସ୍ତମ୍ଭ ନିକଟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଣିପାତ କରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏଥିସହ ସେ ମା ବିମଳା, ମା ମହାଲକ୍ଷ୍ମୀ ଓ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରି ଆନନ୍ଦ ବଜାର ଯାଇଥିଲେ।
