୨୩ ସକାଳେ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ ଲଘୁଚାପ
ଭୁବନେଶ୍ୱର (ସଂକେତ ଟିଭି): ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଏହା ପୂର୍ବ-ମଧ୍ୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ସକ୍ରିୟ ରହିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଲଘୁଚାପଟି ସେହି ଦିଗରେ ଗତି ଜାରି ରଖିବା ସହ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହେବ। ସେପ୍ଟେମ୍ବର ୨୧ ସୁଦ୍ଧା ଏହା ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ଏହାପରେ ସିଷ୍ଟମ ଆହୁରି ଘନୀଭୂତ ହୋଇ ସେପ୍ଟେମ୍ବର ୨୨ ସୁଦ୍ଧା ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଇପାରେ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ି ସେପ୍ଟେମ୍ବର ୨୩ ସକାଳ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ପଶ୍ଚିମ-ମଧ୍ୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି।
ତେବେ ଏହା ଉପକୂଳ ଅତିକ୍ରମ କରିବ କି ନାହିଁ କିମ୍ବା କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ସେନେଇ ଏହି ବୁଲେଟିନ୍ରେ ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ। ସିଷ୍ଟମଟି ବର୍ତ୍ତମାନ ଲଘୁଚାପ ରୂପରେ ରହିଛି। ଏହାକୁ ବାତ୍ୟା ଘୋଷଣା କରାଯାଇନାହିଁ। ପରବର୍ତ୍ତୀ IMD ବୁଲେଟିନ୍ରେ ଏହାର ଶକ୍ତି ଓ ଗତିପଥ ଆହୁରି ସ୍ପଷ୍ଟ ହେବ।
