FeaturedLatestNews

ଓସିସିଏଲ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଲଜ୍, ପ୍ଲଟ୍ ଓ ଲକ୍ଜୁରୀ କାର୍ ସହ ବହୁ ସମ୍ପତ୍ତି ଜବତ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ଭିଜିଲାନ୍ସ ବିଭାଗ ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଓସିସି ଲିମିଟେଡର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପେଟ୍ଟାଙ୍କ ବିରୋଧରେ ବଡ଼ ଧରଣର ଆକ୍ସନ ନେଇଛି। ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି ତଲାସି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଥିବା ବେଳେ ଭିଜିଲାନ୍ସ ବହୁ ମୂଲ୍ୟବାନ ସମ୍ପତ୍ତି ଓ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଠାବ କରିଛି।

ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢ଼ାଉ କରିଥିଲା। ତଲାସି ସ୍ଥାନଗୁଡ଼ିକ ମଧ୍ୟରେ କୋରାପୁଟର ଭଡ଼ା ଘର, କୁମ୍ଭା-୧ ମୌଜାରେ ଥିବା ୪ ମହଲା ହୋଟେଲ, କୁମ୍ଭା-୨ର ନିର୍ମାଣାଧୀନ ବାସଭବନ, ସୁନ୍ଦରଗଡ଼ର ପୈତୃକ ଘର ଓ ନିର୍ମାଣାଧୀନ ୩ ମହଲା କୋଠା ସହ ଭୁବନେଶ୍ୱର ଓ ବଲାଙ୍ଗିରର ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ।

ଭିଜିଲାନ୍ସ ବିଭାଗ ଏପର୍ଯ୍ୟନ୍ତ କୋରାପୁଟରେ ୫ଟି ପ୍ଲଟ୍, ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍ ଏବଂ ରାଉରକେଲାର ଲହୁଣୀପଡ଼ାରେ ୨ଟି ଦାମୀ ପ୍ଲଟ୍ ଠାବ କରିଛି। ଏହାଛଡ଼ା କୋରାପୁଟରେ ଥିବା ୪ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ହୋଟେଲ, ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ତଲାସି ବେଳେ ଦୁଇଟି ଦାମୀ କାର୍, ଗୋଟିଏ ବୁଲେଟ୍, ଗୋଟିଏ ସ୍କୁଟି, ବହୁ ପରିମାଣର ସୁନା ଓ ରୂପା ଅଳଙ୍କାର, ବିଭିନ୍ନ ଜୀବନ ବୀମା ସମ୍ବନ୍ଧୀୟ କାଗଜପତ୍ର ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ ହୋଇଛି।

ତଲାସି ଅପରେସନ୍ ଏବେ ବି ଜାରି ରହିଛି। ସମସ୍ତ ସମ୍ପତ୍ତିର ମୂଲ୍ୟାଙ୍କନ ଓ ଯାଞ୍ଚ ଶେଷ ହେବା ପରେ ଜବତ ସାମଗ୍ରୀ ଓ ଆୟ ବହିର୍ଭୂତ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ସହ ବିସ୍ତୃତ ରିପୋର୍ଟ ପ୍ରକାଶ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *