ଆସନ୍ତା ୪ ଦିନ ଭୀଷଣ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ତୁହାକୁ ତୁହା ବର୍ଷା ସହିତ କେତେକ ସ୍ଥାନରେ ଘନଘନ ବିଜୁଳି ଓ ଘଡ଼ଘଡ଼ି ମଧ୍ୟ ହୋଇପାରେ। ରଥଯାତ୍ରା ପୂର୍ବରୁ ପାଣିପାଗରେ ଏଭଳି ପରିବର୍ତ୍ତନ ଆସିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅତ୍ୟଧିକ ବର୍ଷା ପାଇଁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଦକ୍ଷିଣ ବାଂଲାଦେଶ ନିକଟରେ ଉପର ବାୟୁ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହା ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତାରେ ରହି ଉତ୍ତର-ପଶ୍ଚିମ ଦିଗକୁ ଢଳିଛି।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଏହି ଘୁର୍ଣ୍ଣିବଳୟର ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମ ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟି ହେବ। ଫଳରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ଏବଂ ଅତ୍ୟଧିକ ପ୍ରବଳ ବର୍ଷା ହୋଇପାରେ।
ମନୋରମା ମହାନ୍ତି କହିଛନ୍ତି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଏହି ୩ ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ଅରେଞ୍ଜ ୱାର୍ଣ୍ଣିଂ (୧୨ରୁ ୨୦ ସେମି ବର୍ଷା) ଜାରି କରାଯାଇଛି ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ। ଏହାସହ ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେଓଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତାକାଲି ଜଗତସିଂହପୁରରେ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ରହିଛି। ସେହିପରି କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ କେନ୍ଦୁଝରକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ରାୟଗଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, ଦେବଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝର (ପୁନଶ୍ଚ) ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ରହିଛି।
ନିର୍ଦ୍ଦେଶିକା ଶ୍ରୀମତୀ ମହାନ୍ତି କହିଛନ୍ତି ଯେ, ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ଜାରି ରହିପାରେ। ଏହି ସମୟରେ ଓଡ଼ିଶା ଉପକୂଳରେ ମେଘୁଆ ପାଗ ସହ ୪୫ରୁ ୫୦ କିମି ପ୍ରତି ଘଣ୍ଟା ଏବଂ ସର୍ବାଧିକ ୬୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୩୫୪.୭ ମିମି ବର୍ଷା ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ପରିମାଣ ୩୪୫.୫ ମିମି। ଅର୍ଥାତ୍ ରାଜ୍ୟରେ ସ୍ୱାଭାବିକ ବର୍ଷାଠାରୁ ୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ୧୩ଟି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ୧୫୫ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।
