FeaturedLatestNews

ଓଡ଼ିଶାରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା, ୩ ଦିନ ପାଇଁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ସକ୍ରିୟ ହୋଇଥିବା ଲଘୁଚାପ ଯୋଗୁଁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ସଂଲଗ୍ନ ଘୂର୍ଣ୍ଣବଳୟ ସମୁଦ୍ର ପତ୍ତନରୁ ୭.୬ କିଲୋମିଟର ଉପର୍ଯ୍ୟନ୍ତ ରହିଛି ଏବଂ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି।

ଆଗାମୀ ୨ ଦିନ ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ପ୍ରଦେଶ ଦେଇ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ ବୋଲି IMD ପକ୍ଷରୁ ଆକଳନ କରାଯାଇଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। IMD ଭୁବନେଶ୍ୱର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି।

୧. ଲାଲ୍ ଚେତାବନୀ (୧୫ ଜୁଲାଇ):

ପୁରୀ ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।

୨. କମଳା ଚେତାବନୀ (୧୫-୧୬ ଜୁଲାଇ):

ପ୍ରଥମ ଦିନ – ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, କଟକ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ଦ୍ବିତୀୟ ଦିନ – ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା।

୩. ହଳଦିଆ ଚେତାବନୀ (୧୫-୧୭ ଜୁଲାଇ):

ବାଲେଶ୍ୱର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ୧୪ ସେ.ମି. ଏବଂ କେନ୍ଦ୍ରାପଡ଼ାରେ ୧୩ ସେ.ମି. ବର୍ଷା ରେକର୍ଡ ହୋଇଛି। ୧୫ରୁ ୧୭ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ର ଏବଂ ଏହାର ଆଖପାଖ ଅଞ୍ଚଳ ଅଶାନ୍ତରୁ ଅତି ଅଶାନ୍ତ ରହିବାର ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀମାନଙ୍କୁ ୧୫ରୁ ୧୭ ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ (LC-3) ଜାରି କରିବାକୁ ନିର୍ଦେଶ ଦିଆଯାଇଛି।

ଏହି ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ଓ ପାଣି ଜମିବା ଭଳି ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ସହରାଞ୍ଚଳରେ ଅଣ୍ଡରପାସ ବନ୍ଦ ହେବା, ରାସ୍ତାରେ ପାଣି ଜମିବା ଯୋଗୁଁ ଯାତାୟାତରେ ବାଧା, କଚ୍ଚା ରାସ୍ତାର କ୍ଷତି, ଭୂସ୍ଖଳନ ଏବଂ କେତେକ ନଦୀରେ ବନ୍ୟା ସ୍ଥିତି ଉପୁଜିପାରେ। ଜନଜୀବନ ବ୍ୟାହତ ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଉଛି।