୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ
ଭୁବନେଶ୍ୱର (ସଂକେତ ଟିଭି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ର ପ୍ରିନ୍ସିପାଲ ସୀତାକାନ୍ତ ରଣା ଏକ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ର ମହିଳା ସଦସ୍ୟାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଛନ୍ତି। ଏହି ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ପ୍ରିନ୍ସିପାଲ ଶ୍ରୀ ରଣା ୨୦୨୬-୨୭ ବର୍ଷର ୩ ମାସର ବକେୟା ବିଲ୍ ପ୍ରଦାନ କରିବା ପାଇଁ ଉକ୍ତ ମହିଳା ସଦସ୍ୟାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରୁଥିଲେ। ଅନେକ ଦିନ ଧରି ସଦସ୍ୟା ତାଙ୍କୁ ବକେୟା ବିଲ୍ ଦେବାକୁ ଅନୁରୋଧ କରୁଥିଲେ, ମାତ୍ର ସେ ଟଙ୍କା ନ ପାଇଲେ ବିଲ୍ କ୍ଲିୟର୍ କରିବାକୁ ମନା କରି ଦେଉଥିଲେ।
ଶେଷରେ ଲାଞ୍ଚ ଦେବାକୁ ଅସମର୍ଥ ହୋଇ ସଦସ୍ୟା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ୍ ଏକ ପୂର୍ବ ଯୋଜନା ପ୍ରସ୍ତୁତ କରି ଶ୍ରୀ ରଣାଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ଅବସ୍ଥାରେ ଧରିଥିଲା। ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଯାଇଥିଲା।
ସୂଚନାଯୋଗ୍ୟ ଯେ, ଭିଜିଲାନ୍ସ ଟିମ୍ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଭବାନୀପାଟଣା ସ୍ଥିତ ତାଙ୍କ ବାସଭବନରେ ମଧ୍ୟ ଏକାକାଳୀନ ଚଢ଼ାଉ କରିଛି। ତାଙ୍କର ଅନ୍ୟ ଠିକଣାଗୁଡ଼ିକରେ ମଧ୍ୟ ତଲାସୀ ଜାରି ରହିଛି। ଏହି ଘଟଣା ପରେ ରାଜ୍ୟର ଶିକ୍ଷା ବିଭାଗରେ ଚାଞ୍ଚଲ୍ୟ ଖେଳି ଯାଇଛି।
