FeaturedGeneralLatest

ଅଚଳ ସଂସଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧୀ

ନୂଆଦିଲ୍ଲୀ(ସଂକେତ ଟିଭି): ସଂସଦର ମୌସୁମୀ ଅଧିବେଶନର ଆଜି ୫ମ ଦିନରେ ମଧ୍ୟ ବିରୋଧୀଙ୍କ ହୋହଲ୍ଲା ଓ ନାରାବାଜି ଯୋଗୁଁ ଗୃହକାର୍ଯ୍ୟ ଅଚଳ ହୋଇ ପଡ଼ିଛି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ବିରୋଧୀ ସାଂସଦମାନେ ଅଡ଼ି ବସିଛନ୍ତି। ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପରେ ହିଁ ସେମାନେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବେ ବୋଲି ସେମାନେ ଜିଦ୍ ଧରିଛନ୍ତି। ଇଣ୍ଡି ମେଣ୍ଟର ସାଂସଦମାନେ ମକର ଦ୍ୱାରରେ ବିରୋଧ ପ୍ରଦର୍ଶନ କରିବା ସହ ଶିକ୍ଷା ମନ୍ତ୍ରୀଙ୍କୁ ପଦରୁ ହଟାଇବା ଦାବିରେ ନାରାବାଜି କରିଥିଲେ।

ବିରୋଧୀ ଦଳ କହିଛନ୍ତି, ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ସେମାନଙ୍କର ଆନ୍ଦୋଳନ ଜାରି ରହିବ। ଅନ୍ୟପଟେ, ବିରୋଧୀ ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି ବୋଲି ଏନଡିଏ ଅଭିଯୋଗ ଆଣିଛି। ବିରୋଧୀଙ୍କ ଏପରି ନାରାବାଜିକୁ ଦୃଷ୍ଟିରେ ରଖି ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଛି। ଅଚଳାବସ୍ଥା ସୃଷ୍ଟି ହେବାରୁ ଶେଷରେ ଗୃହକୁ ସୋମବାର ଯାଏଁ ମୁଲତବୀ ରଖାଯାଇଛି।

ପେପର ଲିକ୍ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ମେସେଜ୍ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, “ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିୱାଲ ଏବଂ ଅଖିଳେଶ ଯାଦବ ଏକ ରାଜନୈତିକ ତମାସା ସୃଷ୍ଟି କରୁଛନ୍ତି। ସେମାନେ ଭାବୁଛନ୍ତି ଯେ ସେମାନଙ୍କୁ ଏକ ଭଲ ମୌକା ମିଳିଗଲା। ହେଲେ ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କ ପ୍ରତି ସମ୍ବେଦନଶୀଳ ଓ ଛାତ୍ରମାନଙ୍କ ସହ ଛିଡ଼ା ହୋଇଛନ୍ତି। ପେପର ଲିକ୍ ହେବା ପାଇଁ କଠୋର ନିୟମ ଆଣିବା ସହ ଫାଷ୍ଟଟ୍ରାକ୍ କୋର୍ଟ ଗଠନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ଦୁଇ ଦିନ ପୂର୍ବରୁ ଗୁଣ୍ଡାରାଜର ସବୁ ସୀମା ପାର୍ କରିଦେଇଛି। ସେମାନେ ଛାତ୍ରଛାତ୍ରୀଙ୍କୁ ଢାଲ ପରି ବ୍ୟବହାର କରୁଛନ୍ତି।”

ସେହିପରି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ କହିଛନ୍ତି, “ଫାଷ୍ଟ ଟ୍ରାକ୍ କୋର୍ଟ ହେଲେ କ’ଣ ଫାଇଦା ମିଳିବ? ପ୍ରତି ପ୍ରସଙ୍ଗକୁ ନେଇ ଫାଷ୍ଟଟ୍ରାକ୍ କୋର୍ଟ ଅଛି, ହେଲେ ଜଜ୍ ନାହାନ୍ତି। ଯେତିକି କୋର୍ଟ ଅଛନ୍ତି, ସେଥିପାଇଁ ଯଥେଷ୍ଟ ବିଚାରପତି ନାହାନ୍ତି। ବିଚାରପତି ନିଯୁକ୍ତି କରୁନାହାନ୍ତି, ଏପଟେ କୋର୍ଟ ଗଠନ କରୁଛନ୍ତି” ବୋଲି କହି ସେ ସରକାରଙ୍କୁ ସମାଲୋଚନା କରିଛନ୍ତି।

ରାଜ୍ୟ ସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଶୁକ୍ରବାର ମଧ୍ୟାହ୍ନ ଭୋଜନ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା, ହେଲେ ଅଳ୍ପ କିଛି ସମୟ ପରେ ତାକୁ ମୁଲତବୀ ଘୋଷଣା କରାଯାଇଥିଲା। ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ରାଷ୍ଟ୍ରୀୟ ସମ୍ମାନର ଅବମାନନା ନିରୋଧ (ସଂଶୋଧନ) ବିଲ୍ ସମେତ ଅନେକ ପ୍ରସଙ୍ଗକୁ ନେଇ ବିରୋଧୀ ହଙ୍ଗାମା କରିଥିଲେ। ଉପାଧ୍ୟକ୍ଷ ହରିବଂଶ ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ‘ରାଷ୍ଟ୍ରୀୟ ସମ୍ମାନର ଅବମାନନା ନିରୋଧ (ସଂଶୋଧନ) ବିଲ୍, ୨୦୨୬’ ଆଗତ କରିବାକୁ କହିଥିଲେ। ବିରୋଧୀ ଦଳର ସଦସ୍ୟ, ବିଶେଷ କରି ବାମପନ୍ଥୀ ଦଳଗୁଡ଼ିକ ଏହି ବିଲକୁ ବିରୋଧ କରିଥିଲେ। ତଥାପି, ମୌଖିକ ଭୋଟ୍ (voice vote) ପରେ ପ୍ରସ୍ତାବିତ ବିଲ୍ ଗୃହରେ ଆଗତ କରାଯାଇଥିଲା। ଅଧ୍ୟକ୍ଷ ବିଲ୍ ଉପରେ ଆଲୋଚନା ଆରମ୍ଭ କରିବାକୁ ଅନୁରୋଧ କରିବାରୁ ବିରୋଧୀ ଦଳ ପୁନର୍ବାର ହଙ୍ଗାମା କରିଥିଲେ, ଯାହା ଫଳରେ ରାଜ୍ୟସଭାକୁ ମଧ୍ୟ ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟସଭାର ପରବର୍ତ୍ତୀ ବୈଠକ ସୋମବାର ବସିବ।