FeaturedGeneralLatest

ଦାବି ପୂରଣ ପରେ ଆନ୍ଦୋଳନରୁ ଓହରିଲା କକରୋଚ ଜନତା ପାର୍ଟି

ନୂଆଦିଲ୍ଲୀ(ସଂକେତ ଟିଭି): କକରୋଚ ଜନତା ପାର୍ଟି (ସିଜେପି) ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତୃତୀୟ ପର୍ଯ୍ୟାୟ ବୈଠକ ଶନିବାର ସମାପ୍ତ ହୋଇଯାଇଛି। ଏହି ବୈଠକରେ ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ଯୋଗ ଦେଇଥିଲେ। ଉଭୟ ପକ୍ଷ ମଧ୍ୟରେ ସିଜେପି ଉଠାଇଥିବା ୫ଟି ଦାବି ନେଇ ଗଭୀର ଆଲୋଚନା ହୋଇଥିଲା ଏବଂ ସରକାର ଏହି ସମସ୍ତ ଦାବିକୁ ସ୍ୱୀକାର କରିନେଇଛନ୍ତି। ଫଳରେ, ସିଜେପି ପକ୍ଷରୁ ବୈଠକରେ ଯୋଗ ଦେଇଥିବା ମୁଖପାତ୍ର ସୌରଭ ଦାସ ତତ୍କାଳ ପ୍ରଭାବ ଆନ୍ଦୋଳନ ସମାପ୍ତ କରିବାକୁ ଘୋଷଣା କରିଛନ୍ତି।

ବୈଠକ ଶେଷ ହେବା ପରେ ଉଭୟ ପକ୍ଷ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବୈଠକ ସମ୍ପର୍କିତ ସମସ୍ତ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ସିଜେପି ମୁଖପାତ୍ର ସୌରଭ ଦାସ ବିସ୍ତୃତ ଭାବରେ କହିଛନ୍ତି ଯେ, ଜନ୍ତର-ମନ୍ତରରେ ଅନେକ ଦିନ ଧରି ଚାଲିଥିବା ଆମର ବିରୋଧର ମୁଖ୍ୟ ତିନିଟି ଦାବି ଥିଲା। ପ୍ରଥମ ଦାବି ଥିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା, ଦ୍ୱିତୀୟ ଦାବି ଥିଲା ପ୍ରଦର୍ଶନକାରୀ ଏବଂ ଆୟୋଜକଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଆଇନଗତ ମାମଲା ଓ ଏଫଆଇଆର ପ୍ରତ୍ୟାହାର, ଏବଂ ତୃତୀୟ ଦାବି ଥିଲା ନିଟ୍ ପରୀକ୍ଷା ଅନିୟମିତତା କାରଣରୁ ପ୍ରିୟଜନ ହରାଇଥିବା ପରିବାରକୁ ୧ କୋଟି ଲେଖାଏଁ କ୍ଷତିପୂରଣ ପ୍ରଦାନ।

ସୌରଭ ଦାସ ପୁଣି କହିଛନ୍ତି ଯେ, ସିଜେପି ଯେଉଁ ସବୁ ଦାବି ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲା, ତାହା ସମ୍ପୂର୍ଣ୍ଣ ପୂରଣ ହୋଇଯାଇଛି। ସରକାର ନିଟ୍ ପରୀକ୍ଷା ଯୋଗୁଁ ପ୍ରିୟଜନ ହରାଇଥିବା ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ପ୍ରଦର୍ଶନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏତଦ୍ ବ୍ୟତୀତ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶନିବାର ପୂର୍ବାହ୍ନରେ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ତେଣୁ ସମସ୍ତ ଦାବି ପୂରଣ ହୋଇଥିବାରୁ ଆମେ ତତ୍କାଳ ପ୍ରଭାବ ଆନ୍ଦୋଳନ ସମାପ୍ତ କରିବାକୁ ଘୋଷଣା କରୁଛୁ ବୋଲି ସେ ସ୍ପଷ୍ଟ କରିଛନ୍ତି।