ଆଉ ନିର୍ବାଚନ ନଲଢ଼ିବେ ସିଦ୍ଧରମୈୟା
ବେଙ୍ଗାଲୁରୁ(ସଂକେତ ଟିଭି): କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ୨୦୨୮ ବିଧାନସଭା ନିର୍ବାଚନ ନଲଢ଼ିବାକୁ ଘୋଷଣା କରିଛନ୍ତି। ମାଣ୍ଡ୍ୟା ଜିଲ୍ଲାର କେ.ଆର. ପେଟଠାରେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ସେ ଏହି ନିଷ୍ପତ୍ତି ପ୍ରକାଶ କରିଛନ୍ତି। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ ନଲଢ଼ିବା ଅର୍ଥ ରାଜନୀତିରୁ ଅବସର ନୁହେଁ, ବରଂ ସେ ଜନସେବା ଜାରି ରଖିବେ ଏବଂ ଲୋକଙ୍କ ସୁଖ-ଦୁଃଖର ସ୍ୱର ହୋଇ ରହିବେ।
ସିଦ୍ଧରମୈୟା ଇନଷ୍ଟାଗ୍ରାମ୍ ପୋଷ୍ଟ କରି ଲେଖିଛନ୍ତି, “ମୋର ବର୍ତ୍ତମାନ ବୟସ ୭୯ ବର୍ଷ। ଆମ ସରକାରଙ୍କ କାର୍ଯ୍ୟକାଳ ଆହୁରି ଦେଢ଼ ବର୍ଷ ବାକି ଅଛି, ସେତେବେଳକୁ ମୁଁ ୮୧-୮୨ ବର୍ଷର ହୋଇଯିବି। ସ୍ୱାସ୍ଥ୍ୟ ପୂର୍ବପରି ନାହିଁ ଏବଂ ପୂର୍ବ ଉତ୍ସାହରେ କାମ କରିବା ସମ୍ଭବ ନୁହେଁ।” ସେ ଆହୁରି କହିଛନ୍ତି, “ଆଜିର ରାଜନୀତି ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ହୋଇଗଲାଣି। ସଚ୍ଚୋଟ ରାଜନୀତି ପାଇଁ ଆଉ ସ୍ଥାନ ନାହିଁ। ତେଣୁ ମୁଁ ଭବିଷ୍ୟତରେ କୌଣସି ନିର୍ବାଚନ ନଲଢ଼ିବାକୁ ନିଷ୍ପତ୍ତି ନେଇଛି।”
ବରୁଣା ବିଧାନସଭା ନିର୍ବାଚନ ମଣ୍ଡଳୀର ଲୋକେ ତାଙ୍କୁ ପୁଣି ନିର୍ବାଚନ ଲଢ଼ିବାକୁ ଅନୁରୋଧ କରୁଥିଲେ ମଧ୍ୟ ସେ ଏହି ନିଷ୍ପତ୍ତି ନେଇଛନ୍ତି। ୨୦୨୮ ସୁଦ୍ଧା ତାଙ୍କର ରାଜନୈତିକ ଜୀବନର ୫୦ ବର୍ଷ ପୂରଣ ହେବ। ୧୯୭୮ରେ ରାଜନୀତିରେ ଯୋଗଦେଇଥିବା ସିଦ୍ଧରମୈୟା କହିଛନ୍ତି, “ପାଞ୍ଚ ଦଶନ୍ଧି ଧରି ରାଜ୍ୟର ଲୋକମାନେ ମୋତେ ନିଜର ବୋଲି ଭାବିଛନ୍ତି। ମୁଁ ସେମାନଙ୍କ ନିକଟରେ ଋଣୀ। ତେଣୁ, ମୋର ଭବିଷ୍ୟତ ଜୀବନ ମଧ୍ୟ ଜନସେବା ପାଇଁ ସମର୍ପିତ ରହିବ।” ତାଙ୍କର ଏହି ଘୋଷଣା ପରେ କର୍ଣ୍ଣାଟକ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
