ବିହାରରେ ଛାତ୍ର ଉପରେ ଏକେ-47 ଗୁଳି, ମୋଦୀଙ୍କ କ୍ଷମା ଦାବି କଲେ ରାହୁଲ
ନୂଆଦିଲ୍ଲୀ(ସଂକେତ ଟିଭି): କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ଆଜି (ସୋମବାର) ବିହାରରେ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ AK-47 ରାଇଫଲରୁ ଗୁଳି ଚାଲିଥିବା ଅଭିଯୋଗକୁ ନେଇ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଛାତ୍ରଙ୍କ ଉପରେ ଆକ୍ରମଣ କରିଥିବା ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛାତ୍ରଛାତ୍ରୀଙ୍କ ନିକଟରେ କ୍ଷମା ମାଗିବା ଦାବି କରିଛନ୍ତି।
ରାହୁଲ ଗାନ୍ଧୀ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ, ସମଗ୍ର ବ୍ୟବସ୍ଥା ଛାତ୍ରଙ୍କ ବିରୋଧରେ ସିଧାସଳଖ ଘାତକ ପାଲଟିଯାଇଛି। ବିହାରରେ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ AK-47ରୁ ଗୁଳି ଚାଲିଥିବା ଖବର ଆସୁଛି ଏବଂ ଶତାଧିକ ଛାତ୍ରଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ FIR ରୁଜୁ କରାଯାଇଛି। ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଛନ୍ତି, “ମୋଦିଜୀ, ଛାତ୍ରଙ୍କ ବିରୋଧରେ କୌଣସି FIR ହେବ ନାହିଁ ଏବଂ ସେମାନଙ୍କୁ ମୁକ୍ତ କରାଯିବ ବୋଲି ଆପଣ ଦେଇଥିବା ପ୍ରତିଶ୍ରୁତିର କଣ ହେଲା? ଏହାର ପରିବର୍ତ୍ତେ ସେମାନଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ ଓ ନିର୍ମମ ଅତ୍ୟାଚାର କରାଯାଉଛି।”
ରାହୁଲ ଗାନ୍ଧୀ ଆହୁରି ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀରେ ଛାତ୍ରଙ୍କ ଉପରେ ପେଲେଟ୍ ଗନ୍ ବ୍ୟବହାର କରାଯାଇଥିଲା ଏବଂ ବିହାରରେ AK-47 ବ୍ୟବହାର କରାଯାଇଛି। ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର କିମ୍ବା ଦିଲ୍ଲୀ, ସବୁଠି ଏକାଭଳି ଧାରା ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ “ଅସତ୍ୟବାଦୀ” ବା ଅସାଧୁ ବୋଲି ଅଭିହିତ କରି କହିଛନ୍ତି ଯେ, ସଂସ୍କାର କରିବା ଏହାର କ୍ଷମତା ବାହାରେ। ଏହା ନିଜ ପ୍ରତିଶ୍ରୁତିରୁ ଓହରିଯିବ ଏବଂ ଛାତ୍ରଙ୍କ ସ୍ୱରକୁ ଦମନ କରିବା ପାଇଁ ସବୁ ପ୍ରକାର କୌଶଳ ବ୍ୟବହାର କରିବ।
ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଦେଶର ଛାତ୍ରଛାତ୍ରୀଙ୍କ ନିକଟରେ କ୍ଷମା ମାଗିବା ସହ ଛାତ୍ରଙ୍କ ବିରୋଧରେ ନୁହେଁ, ବରଂ ସେମାନଙ୍କୁ ଆକ୍ରମଣ ଓ ନିର୍ମମ ଅତ୍ୟାଚାର କରିଥିବା ଲୋକଙ୍କ ବିରୋଧରେ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି।
ଶନିବାର NEET ପ୍ରଶ୍ନପତ୍ର ଲିକ୍ ଘଟଣା ଏବଂ ପ୍ରତିବାଦରତ ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଆହ୍ୱାନ କରାଯାଇଥିବା ବିହାର ବନ୍ଦକୁ ସମର୍ଥନ କରି ବାମପନ୍ଥୀ ଛାତ୍ର ସଂଗଠନଗୁଡ଼ିକ ରାଜ୍ୟବ୍ୟାପୀ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନର କିଛି ସ୍ଥାନରେ ହିଂସାକାଣ୍ଡ ଘଟିଥିଲା। ବିହାର ବିଧାନସଭାର ବିରୋଧୀ ଦଳନେତା ତେଜସ୍ୱୀ ଯାଦବ ଅଭିଯୋଗ କରିଥିଲେ ଯେ, ସିୱାନରେ ପ୍ରତିବାଦକାରୀଙ୍କ ଉପରେ ପୁଲିସ AK-47ରୁ ଗୁଳି ଚଳାଇଥିଲା।
ଅନ୍ୟପଟେ, ଜୁଲାଇ ୨୦ରେ ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଆୟୋଜିତ ‘ସଂସଦ ଚଲୋ’ ପଦଯାତ୍ରା ସମୟରେ ପୋଲିସ ଓ ସୁରକ୍ଷା ବାହିନୀ ପ୍ରଦର୍ଶନକାରୀଙ୍କୁ ଛିନ୍ନଭିନ୍ନ କରିବା ପାଇଁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲେ। ଏହି ପ୍ରଦର୍ଶନରେ ଅଧିକାଂଶ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ ବହୁ ପ୍ରଦର୍ଶନକାରୀ ଓ ପୋଲିସ କର୍ମଚାରୀ ଆହତ ହୋଇଥିଲେ।
