ଖଣି ବିଲ୍ ନେଇ ନବୀନଙ୍କ ଚିଠି, ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଦାବି
ଭୁବନେଶ୍ୱର (ସଂକେତ ଟିଭି): ସଂସଦରେ ଗୃହୀତ ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍, ୨୦୨୬କୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ବିଲ୍ ଓଡ଼ିଶାର ବିତ୍ତୀୟ ସ୍ବାଧୀନତା ଓ ଏହାର ପ୍ରାକୃତିକ ସମ୍ବଳ ଉପରେ ଥିବା ସାମ୍ବିଧାନିକ ଅଧିକାର ପ୍ରତି ଏକ ବଡ଼ ବିପଦ ବୋଲି ମତ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ଚିଠିରେ ନବୀନ ପଟ୍ଟନାୟକ ଦର୍ଶାଇଛନ୍ତି ଯେ, ଏହି ବିଲ୍ ପ୍ରଭାବରେ ଓଡ଼ିଶାର ବ୍ୟାପକ ରାଜସ୍ବ ହାନି ହେବ, ଯାହା ବିକାଶମୂଳକ କାର୍ଯ୍ୟକୁ ପ୍ରଭାବିତ କରିବ। ତେଣୁ ରାଜ୍ୟର ସଂଘୀୟ ଅଧିକାର ଓ ଖଣିଜ ରାଜସ୍ବର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।
ଏହି ପ୍ରସଙ୍ଗରେ ସର୍ବଦଳୀୟ ସହମତି ହାସଲ କରିବା ନିମନ୍ତେ ତୁରନ୍ତ ଏକ ସର୍ବଦଳୀୟ ବୈଠକ ଡାକିବା ସହ ବିଲ୍କୁ ବିରୋଧ କରିବା ପାଇଁ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବିରୋଧୀ ଦଳ ନେତା ଦାବି କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟଠାରୁ କ୍ଷମତା ଛଡ଼ାଇ ନେଲେ ଓଡ଼ିଶାରେ କେବଳ ପ୍ରଦୂଷଣ, ବିସ୍ଥାପନ ଓ ଖଣି ଜନିତ ବୋଝ ରହିଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ ଚିଠିର ଜବାବ ରଖିଛି ବିଜେପି। ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିରୋଧୀ ଦଳ କନଫ୍ୟୁଜ ନ ହୁଅନ୍ତୁ ଏବଂ ଲୋକଙ୍କୁ କନଫ୍ୟୁଜ ନ କରନ୍ତୁ। ଏମଏମଡିଆର ଆକ୍ଟ ଦ୍ୱାରା ଓଡ଼ିଶାର କୌଣସି ଆର୍ଥିକ କ୍ଷତି ହେବ ନାହିଁ, ବରଂ ଏହା ଦ୍ୱାରା ଓଡ଼ିଶା ସରକାରଙ୍କ ବିକାଶ ଧାରା ତ୍ୱରାନ୍ୱିତ ହେବ ଏବଂ ଖଣି ଖାଦାନରୁ ରୋଜଗାର ଆହୁରି ଚାରିଗୁଣା ବଢ଼ିବ ବୋଲି ସେ କହିଛନ୍ତି।
ଏହି ଖଣି ବିଲ୍ ପ୍ରସଙ୍ଗରେ ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଆବଶ୍ୟକ ସ୍ଥଳେ ଦଳ ରାସ୍ତାକୁ ଓହ୍ଲାଇବ। ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଓଡ଼ିଶାରୁ ୨୦ ଜଣ ସାଂସଦ ଥାଇ ମଧ୍ୟ ଓଡ଼ିଶା ବିରୋଧୀ ଏମଏମଡିଆର ବିଲ୍ କିପରି ପାସ୍ ହେଲା। ଏବେ ବାର୍ଷିକ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା କ୍ଷତି ସହିବ ଓଡ଼ିଶା ବୋଲି ସେ ଦର୍ଶାଇଛନ୍ତି।
ସେହିପରି କଂଗ୍ରେସ ମଧ୍ୟ ଏହି ଖଣି ଆଇନ ସଂଶୋଧନକୁ ନେଇ ସରକାରଙ୍କ ଉପରେ ବର୍ଷିଛି। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଏହି ବିଲ୍ ଯୋଗୁଁ ଓଡ଼ିଶା ପ୍ରାୟ ୧୫ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ। ଲକ୍ଷ ଲକ୍ଷ କୋଟି ଟଙ୍କାର ବକେୟା ମଧ୍ୟ ଆଦାୟ ହୋଇପାରିବ ନାହିଁ। ଏହାକୁ ସଂଘୀୟ ବ୍ୟବସ୍ଥା ଉପରେ ସିଧାସଳଖ ଆକ୍ରମଣ ବୋଲି କହି ଆସନ୍ତା ବିଧାନସଭା ଅଧିବେଶନରେ ଓଡ଼ିଶା ବନ୍ଦ ଡାକରା ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।
