ସହକର୍ମୀଙ୍କୁ ଅସଦାଚରଣ ମାମଲାରେ ପରିବହନ ଅଧିକାରୀ ଗିରଫ
ଭୁବନେଶ୍ୱର (ସଂକେତ ଟିଭି): ସହକର୍ମୀଙ୍କୁ ଅସଦାଚରଣ କରିବା ପରିବହନ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳଙ୍କୁ ଆଜି (ଶୁକ୍ରବାର) ଖାରବେଳନଗର ପୋଲିସ ଗିରଫ କରିଛି। ପୀଡ଼ିତା ସହକର୍ମୀ ଯୁବତୀଙ୍କ ଅଭିଯୋଗ ଆଧାରରେ ଖାରବେଳନଗର ଥାନା ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତ ଅରୁଣଙ୍କୁ ପୋଲିସ କୋର୍ଟଚାଲାଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି।
ଖାରବେଳନଗର ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ୱାଳ କହିଛନ୍ତି, “ପୀଡ଼ିତା ଯୁବତୀ ଜଣକ ଅବିବାହିତ। ସେ ପରିବହନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଅରୁଣ ଭୟଭୀତ କରାଇ ଧମକ ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏପରିକି ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ଯୁବତୀଙ୍କ ଘରେ ପଶିଥିଲେ ଅରୁଣ। ସେଠାରେ ପୀଡ଼ିତାଙ୍କ ସହ ଅରୁଣ ଅସଦାଚରଣ କରିଥିବା ଅଭିଯୋଗ ରହିଛି। ଏନେଇ ଯୁବତୀ ଜଣକ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଆଧାର କରି ପୋଲିସ ମାମଲା (ନଂ.୬୫୭/୨୦୨୬) ରୁଜୁ କରି ତଦନ୍ତ ଜାରି ରଖିଛି।” ଘଟଣାସ୍ଥଳରେ ସିସିଟିଭି ଫୁଟେଜ, ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ, ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଉଛି ବୋଲି ଆଇଆଇସି କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତା ଯୁବତୀ ଜଣକ ଖାରବେଳନଗର ଥାନା ଅଞ୍ଚଳରେ ପିଜି ହଷ୍ଟେଲରେ ଭଡ଼ାରେ ରହୁଛନ୍ତି। ପରିବହନ ବିଭାଗରେ ଚୁକ୍ତି ଭିତ୍ତିରେ ଚାକିରି କରୁଛନ୍ତି। ତେବେ ଅରୁଣ ତାଙ୍କୁ ପ୍ରେମ ନିବେଦନ କରିବା ସହ ବିଭିନ୍ନ ସମୟରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଗତକାଲି (ଗୁରୁବାର) ରାତିରେ ଅରୁଣଙ୍କ ହଙ୍ଗାମା ବେଳେ ଯୁବତୀ ଜଣକ ପୋଲିସକୁ କଲ କରିଥିଲେ। ପୋଲିସ ଟିମ୍ ପହଞ୍ଚି ସ୍ଥିତି ବୁଝିବା ସହ ଅରୁଣଙ୍କୁ ଥାନାକୁ ଉଠାଇ ଆଣିଥିଲା। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
