ବାଲେଶ୍ବରରେ ଦିନ ଦ୍ବିପ୍ରହରରେ ଗୁଳିମାଡ଼: ବ୍ୟବସାୟୀଙ୍କ ମୃତ୍ୟୁ
ବାଲେଶ୍ବର (ସଂକେତ ଟିଭି): ଦିନ ଦିପହରରେ ବାଲେଶ୍ବର ସହରର ସହଦେବଖୁଣ୍ଟା ଥାନା ଅଧୀନ ଅରଡ଼ବଜାରରେ ଆଜି ଏକ ନୃଶଂସ ଗୁଳିମାଡ଼ ଘଟଣା ଘଟିଛି। ଏହି ଗୁଳିମାଡ଼ରେ ଜଣେ ଯୁବ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କୁ ଶେଖ୍ ହମିଦ ବୋଲି ଚିହ୍ନଟ କରାଯାଇଛି।
ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ପ୍ରାୟ ୪ ଟା ସମୟରେ ଦୁର୍ବୃତ୍ତମାନେ ଯୁବ ବ୍ୟବସାୟୀ ଶେଖ୍ ହମିଦଙ୍କୁ ଟାର୍ଗେଟ କରି ଅତି ନିକଟରୁ ପ୍ରାୟ ୧୦ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଗୁଳି ବିଦ୍ଧ ହୋଇ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ରକ୍ତ ଜୁବୁବୁଡୁ ଅବସ୍ଥାରେ ସେ ଛଟପଟ ହେଉଥିବା ବେଳେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶେଖ୍ ହମିଦଙ୍କୁ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ସମ୍ପର୍କରେ ବାଲେଶ୍ବର ଏସପି ଶ୍ରୀ ପ୍ରତ୍ୟୁଷ ଦିୱାକର କହିଛନ୍ତି ଯେ, “ଆଜି ଅରଡ଼ ବଜାର ଅଞ୍ଚଳରେ ଅପରାହ୍ଣ ୩.୧୫ ରେ ଆମକୁ ଖବର ଆସିଲା ଯେ ଗୁଳିମାଡ଼ ହୋଇଛି। ସେ ଗୁଳିମାଡ଼ରେ ଜଣେ ଯୁବକ ଆହତ ହୋଇଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କର ମୃତ୍ୟୁ ଘଟିଛି।”
ଏସପି ପ୍ରତ୍ୟୁଷ ଆହୁରି କହିଛନ୍ତି, “ତଦନ୍ତରୁ ଜଣାପଡ଼ିଛି ଯେ, ଦୁଇଜଣ ଲୋକ ଗୋଟିଏ ବାଇକରେ ଆସି ତାଙ୍କ ଉପରେ ଗୁଳି ଚଳାଇଥିଲେ। ସେମାନଙ୍କ ପାଖରେ ଦୁଇଟି ଅଗ୍ନିଶସ୍ତ୍ର ଥିଲା। ଘଟଣାସ୍ଥଳରୁ ଆମର ସାଇଣ୍ଟିଫିକ୍ ଟିମ୍ ୮ ଟି ଗୁଳି ଜବତ କରିଛି ଏବଂ ଅଧିକ ପ୍ରମାଣ ସଂଗ୍ରହ ଜାରି ରହିଛି।”
“ଏପର୍ଯ୍ୟନ୍ତ କାହାର ସମ୍ପୃକ୍ତି କିମ୍ବା ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନାହିଁ। କିନ୍ତୁ ୪ ଟି ଟିମ୍ ବିଭିନ୍ନ ଥାନାରେ ଏବଂ ସ୍ପେଶାଲ ସ୍କ୍ୱାଡ୍ ମୁତୟନ ହୋଇଛନ୍ତି। ଶୀଘ୍ର ଏହି ମାମଲାର ସମାଧାନ କରାଯିବ। ଆମେ କିଛି ସୂତ୍ର ପାଇଛୁ ଯେ ସେମାନେ କେଉଁ ବାଟରେ ପଳାଇଛନ୍ତି। ସିସିଟିଭି ଫୁଟେଜ୍ ଏବଂ ସାଇଣ୍ଟିଫିକ୍ ଏଭିଡେନ୍ସ ସଂଗ୍ରହ ଚାଲିଛି। ଅଧିକ ତଦନ୍ତ ପରେ ହିଁ ମୁଁ କିଛି ନିଷ୍କର୍ଷରେ ପହଞ୍ଚି ପାରିବି।”
ଏସପି କହିଛନ୍ତି ଯେ, “ଖବର ପାଇବା ମାତ୍ରେ ପୁରା ଜିଲ୍ଲାରେ ଚେକିଂ ଆରମ୍ଭ କରାଯାଇଛି। ନିକଟବର୍ତ୍ତୀ ଜିଲ୍ଲା ମୟୂରଭଞ୍ଜ, ଭଦ୍ରକ ଏବଂ ପଶ୍ଚିମବଙ୍ଗ ସୀମାରେ ମଧ୍ୟ ଚେକିଂ ଚାଲିଛି। ବାଇକ୍ ଆରୋହୀ ଅପରାଧୀମାନଙ୍କୁ ଖୋଜିବା ପାଇଁ ଏବଂ ପୁରା ଅଞ୍ଚଳରେ ସଘନ ଯାଞ୍ଚ ଆରମ୍ଭ ହୋଇଛି।”

