FeaturedLatestNewsPolitics

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର (ସଂକେତ ଟିଭି): ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ କଂଗ୍ରେସ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଘେରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଡ଼ି ରହିଥିବା ଦଳ, ଆଜି ଭୁବନେଶ୍ୱରରୁ ‘ଛାତ୍ରଙ୍କ ଗୁଞ୍ଜ’ ନାମକ ଏକ ଦେଶବ୍ୟାପୀ ଅଭିଯାନର ଶୁଭାରମ୍ଭ କରିଛି। ଦଳର ଜାତୀୟ ପ୍ରବକ୍ତା ପବନ ଖେଡା ଏକ ସାମ୍ବାଦିକ ସମ୍ମିଳନୀରେ ନିଟ୍ ପେପର ଲିକ୍‌, ପରୀକ୍ଷା ପରିଚାଳନା ଏବଂ ଶିକ୍ଷା ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କ ଭୂମିକା ଉପରେ କଡ଼ା ପ୍ରଶ୍ନ ଉଠାଇଛନ୍ତି।

ଆଜି ଗୁରୁବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପବନ ଖେଡା କହିଛନ୍ତି ଯେ, ‘ନିଟ୍-ଚିଟ୍-ରିପିଟ୍’ କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଦେଶର ପରୀକ୍ଷା ବ୍ୟବସ୍ଥାର ଗମ୍ଭୀର ସଙ୍କଟର ପ୍ରତୀକ। ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୯୦ଟି ପରୀକ୍ଷାରେ ପେପର ଲିକ୍‌ ଘଟଣା ସାମ୍ନାକୁ ଆସିଛି। ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ ଦାବି କରିଛି ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ। ପବନ ଖେଡା କହିଛନ୍ତି, ଶିକ୍ଷାମନ୍ତ୍ରୀ NTA ପଛରେ ଲୁଚି ରହିପାରିବେ ନାହିଁ। ଏହା କେବଳ ପ୍ରଶାସନିକ ଭୁଲ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଗୁରୁତର ଅବହେଳା ଅଟେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବାରମ୍ବାର ଛାତ୍ରଙ୍କ ଭବିଷ୍ୟତ ସୁରକ୍ଷା ପ୍ରସଙ୍ଗ ଉଠାଇ ଆସୁଛନ୍ତି।

କୋଟା ସମେତ ବିଭିନ୍ନ ସହରରେ ଦେଖାଦେଇଥିବା ଛାତ୍ର ଅସନ୍ତୋଷକୁ ଉଦାହରଣ ଦେଇ ଦଳ କହିଛି, ଏହି ପ୍ରସଙ୍ଗରେ ଦେଶବ୍ୟାପୀ ଜନମତ ସୃଷ୍ଟି କରାଯିବ। ଆଜି ଠାରୁ ୨୮ଟି ସହରରେ ‘ଛାତ୍ରଙ୍କ ଗୁଞ୍ଜ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହା ୪୦ ଦିନ ପର୍ଯ୍ୟନ୍ତ ଚାଲିବ।

ଏହି ଅଭିଯାନ ଜରିଆରେ କଂଗ୍ରେସ ତିନୋଟି ପ୍ରମୁଖ ଦାବି ଉଠାଇଛି। ପ୍ରଥମତଃ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା, ଦ୍ୱିତୀୟତଃ ପରୀକ୍ଷା ପରିଚାଳନାରେ ସମ୍ପୃକ୍ତ ସମସ୍ତ ସଂସ୍ଥା, ଭେଣ୍ଡର ଓ ପ୍ରକ୍ରିୟାର ସ୍ୱାଧୀନ ଅଡିଟ୍‌ ରିପୋର୍ଟ ସାର୍ବଜନୀନ କରାଯାଉ। ତୃତୀୟଟି ହେଉଛି ପରୀକ୍ଷା କ୍ୟାଲେଣ୍ଡର, ଫଳ ପ୍ରକାଶ କ୍ୟାଲେଣ୍ଡର ଓ ସମଗ୍ର ପରୀକ୍ଷା ପ୍ରକ୍ରିୟାକୁ ସମୟବଦ୍ଧ ଓ ସ୍ୱଚ୍ଛ କରାଯାଉ।

ଓଡ଼ିଶାର ପାଠ୍ୟପୁସ୍ତକରେ ହୋଇଥିବା ବିଭ୍ରାଟ ପ୍ରସଙ୍ଗ ଉଠାଇ ମଧ୍ୟ ପବନ ଖେଡା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ପାଠ୍ୟପୁସ୍ତକ ମୁଦ୍ରଣ ଓ ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ସେ ପ୍ରଶ୍ନ ଉଠାଇଥିଲେ। ଏହାସହ ସେ କହିଛନ୍ତି ଯେ, ନିଜ ବିରୋଧରେ ଏକାଧିକ ମାମଲା ଥିଲେ ମଧ୍ୟ ସେ ଏପରି ପ୍ରସଙ୍ଗ ଉଠାଇବାରୁ ପଛକୁ ହଟିବେ ନାହିଁ।

ନିଟ୍ ପେପର ଲିକ୍‌ ପ୍ରସଙ୍ଗରେ କଂଗ୍ରେସ ଏବେ ଦେଶବ୍ୟାପୀ ଆନ୍ଦୋଳନର ପଥ ବାଛି ଥିବାବେଳେ କେନ୍ଦ୍ର ସରକାର ଓ ଶିକ୍ଷାମନ୍ତ୍ରଣାଳୟ ପୂର୍ବ ଅପେକ୍ଷା ଏବେ ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସଂସ୍କାର ଆଣିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କଥା କହିଆସୁଛନ୍ତି।