ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି: ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବନ୍ୟା ପ୍ରଭାବିତ ଓ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ସେ ସ୍ଥିତିର ବିସ୍ତୃତ ସମୀକ୍ଷା କରିଛନ୍ତି।
ଏହି ଅବସରରେ ସେ ବିଭିନ୍ନ ନଦୀର ଜଳସ୍ତର, ଜଳମଗ୍ନ ଗ୍ରାମ, ଯୋଗାଯୋଗ ବିଚ୍ଛିନ୍ନ ଅଞ୍ଚଳ ଓ ଚାଲିଥିବା ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି। ତାଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ୍ ଉପସ୍ଥିତ ଥିଲେ।
ବନ୍ୟା ପ୍ରଭାବିତ ଅଞ୍ଚଳର ପ୍ରକୃତ ସ୍ଥିତି, ଲୋକଙ୍କ ଦୁର୍ଦ୍ଦଶା, ରାସ୍ତାଘାଟର କ୍ଷତି ଓ ରିଲିଫ କାର୍ଯ୍ୟର ଅଗ୍ରଗତି ଉପରେ ସେମାନେ ସମୀକ୍ଷା କରିଛନ୍ତି। ଏହାପୂର୍ବରୁ ପୂର୍ବାହ୍ନରେ ଲୋକସେବା ଭବନରେ ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ଜିଲ୍ଲାପାଳ ଏବଂ ବନ୍ୟା ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବୈଠକ କରି ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ।
ଏହି ବୈଠକରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ରିଲିଫ ବଣ୍ଟନ, ପାନୀୟ ଜଳ, ଖାଦ୍ୟ, ସ୍ୱାସ୍ଥ୍ୟ ସେବା ଓ ପଶୁଖାଦ୍ୟ ଯୋଗାଣ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଶାସନର ସମସ୍ତ ବ୍ୟବସ୍ଥାକୁ ସଜାଗ ରଖିବା ସହ ଜଳବନ୍ଦୀ ଅଞ୍ଚଳରେ କୌଣସି ଲୋକ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଛନ୍ତି।
ବନ୍ୟା ଜଳ ହ୍ରାସ ପରେ କ୍ଷୟକ୍ଷତିର ଆକଳନ କରି ଆବଶ୍ୟକ ସହାୟତା ଯୋଗାଇବା ସହ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ବନ୍ୟା ପରିସ୍ଥିତି ଉପରେ ସତତ ନଜର ରଖିଥିବା ବେଳେ ଆବଶ୍ୟକ ସ୍ଥାନରେ ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ଅନ୍ୟ ଉଦ୍ଧାରକାରୀ ଦଳ ମୁତୟନ ରହିଛନ୍ତି।
ପ୍ରଭାବିତ ଲୋକଙ୍କୁ ଶୀଘ୍ର ସହାୟତା ପହଞ୍ଚାଇବା ଓ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପକ୍ଷରୁ ସମନ୍ୱିତ ଭାବେ କାର୍ଯ୍ୟ ଚାଲିଥିବା ସରକାର କହିଛନ୍ତି।
