FeaturedLatestNews

ଲଭ୍-ସେକ୍ସ-ଧୋକା ଅଭିଯୋଗରେ ବାରିପଦା ଟାଉନ୍ ଥାନା ସବ୍-ଇନିସପେକ୍ଟର ଗିରଫ

ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ଜିଲ୍ଲାର ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ଏକ ସବ୍-ଇନସପେକ୍ଟର (SI) ପ୍ରଭାତ କୁମାର ନାୟକଙ୍କ ନାମରେ ଗମ୍ଭୀର ଅଭିଯୋଗ ଆସିଛି। ଜଣେ ମହିଳା ତାଙ୍କ ବିରୋଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ଧମକ ଦେବାର ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରିଛି।

ପୀଡ଼ିତା ମହିଳା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ଫେସବୁକ୍ ମାଧ୍ୟମରେ SI ପ୍ରଭାତଙ୍କ ସଂସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ ସମୟରେ, ସେ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିଥିଲେ। ଯେତେବେଳେ ମହିଳା ବିବାହ ପାଇଁ ଜିଦ୍ ଧରିଲେ, ସେତେବେଳେ ଅଭିଯୁକ୍ତ SI ଜଣକ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ।

ଅଭିଯୋଗରେ ଆହୁରି ଉଲ୍ଲେଖ ଅଛି ଯେ, SI ପ୍ରଭାତ ମହିଳାଙ୍କଠାରୁ ଟଙ୍କା ନେଇଥିଲେ ଏବଂ ନିଜର ସର୍ଭିସ୍ ପିସ୍ତଲ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏଭଳି ଅତ୍ୟାଚାର ଓ ଧୋକାକୁ ନେଇ ପୀଡ଼ିତା ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସଦର ଏସଡ଼ିପିଓ ପ୍ରଭାତ କୁମାର ମଲ୍ଲିକ ଏହି ଘଟଣାର ସତ୍ୟତା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ପୁରୀର ଜଣେ ମହିଳା ଲିଖିତ ଅଭିଯୋଗ କରିବା ପରେ ବାରିପଦା ଟାଉନ୍ ଥାନାରେ ମାମଲା ନମ୍ବର ୫୪୨ (ଅଗଷ୍ଟ ୨୨, ୨୦୨୬) ରୁଜୁ କରାଯାଇଛି। ତଦନ୍ତ ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତ SI ପ୍ରଭାତ କୁମାର ନାୟକଙ୍କୁ ଗିରଫ କରାଯାଇ ସମ୍ପୃକ୍ତ ଧାରାରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *