ବିକ୍ରମ ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ ଓ ପ୍ରୋସେସନ୍ କଟାକ୍ଷ କଲେ ମନ୍ତ୍ରୀ ବିଭୂତି ଜେନା
ଭୁବନେଶ୍ୱର (ସଂକେତ ଟିଭି): ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଜେଲରୁ ବାହାରିବା ପରେ ଭବ୍ୟ ସ୍ୱାଗତ ଓ ପ୍ରୋସେସନ୍ କରାଯାଇଥିବା ଘଟଣାକୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ତୀବ୍ର କଟାକ୍ଷ କରିଛନ୍ତି। ସେ ଏହାକୁ ଅଯୌକ୍ତିକ ଓ ଲଜ୍ଜାଜନକ ବୋଲି ଅଭିହିତ କରିଛନ୍ତି।
ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ବିକ୍ରମ ପଣ୍ଡାଙ୍କ ରାଜନୈତିକ ପ୍ରାସଙ୍ଗିକତା ଏକ ଏକ୍ସପାୟରୀ ଡେଟ୍ ଔଷଧ ପରି ଅପ୍ରଭାବୀ ହୋଇଗଲାଣି। ତାଙ୍କୁ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ସମ୍ମାନ ଦେବା ଆମ ସମସ୍ତଙ୍କ ପାଇଁ ଲଜ୍ଜାର ବିଷୟ ବୋଲି ସେ ମତ ଦେଇଛନ୍ତି। ଗଞ୍ଜାମ ଅଞ୍ଚଳର ଭାଷାରେ ଏହାକୁ ‘ଅଲାଜୁକ’ ବୋଲି କୁହାଯାଏ, ଯାହାର ଅର୍ଥ ହେଉଛି ଅସମ୍ଭବ ଓ ଅନୁଚିତ।
ମଙ୍ଗଳବାର ବ୍ରହ୍ମପୁରରେ ବିକ୍ରମ ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ କରିଥିବା ବିଜେଡି ନେତାମାନଙ୍କୁ ଉଦ୍ଦେଶ୍ୟ କରି ମନ୍ତ୍ରୀ କହିଛନ୍ତି ଯେ, ସେମାନେ ଏହା ଭାବିବା ଉଚିତ୍ ଥିଲା ଯେ ବିକ୍ରମ ପଣ୍ଡା ଦେଶ ବା ରାଜ୍ୟ ପାଇଁ କୌଣସି ବଡ଼ କାର୍ଯ୍ୟ କରି ଜେଲ୍ ଯାଇନାହାନ୍ତି। ବରଂ ସେ ଏକ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ ଏବଂ ବର୍ତ୍ତମାନ ଜାମିନ ପାଇବା ପରେ ବାହାରକୁ ଆସିଛନ୍ତି। ତେଣୁ ଏଭଳି ଘଟଣାକୁ ନେଇ ଗର୍ବ କରିବା କିମ୍ବା ବଡ଼ ପ୍ରୋସେସନ୍ କରିବା ଠିକ୍ ନୁହେଁ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଆଶା ପ୍ରକାଶ କରି ମନ୍ତ୍ରୀ କହିଛନ୍ତି ଯେ, ଏହି ମାମଲାରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ନ୍ୟାୟିକ ପ୍ରକ୍ରିୟା ପ୍ରତି ଆସ୍ଥା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରି ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି କହିଛି ଯେ, ବିକ୍ରମ ପଣ୍ଡାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଏହି ହତ୍ୟା ମାମଲାରେ ଫସାଯାଇଛି। ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ହେବା ପରେ ତାଙ୍କ ଲୋକପ୍ରିୟତା ଓ ସାଂଗଠନିକ ଦକ୍ଷତାକୁ ଦେଖି ବିଜେପି ନେତାମାନେ ତାଙ୍କୁ ସହ୍ୟ କରିପାରି ନଥିଲେ, ଯାହା ଫଳରେ ଏହି ଷଡ଼ଯନ୍ତ୍ର କରାଯାଇଥିଲା।
ବିଜେଡି ଆହୁରି ମଧ୍ୟ କହିଛି ଯେ, ବିକ୍ରମଙ୍କ ଗିରଫଦାରୀ ଅସାମ୍ବିଧାନିକ ଥିଲା ଏବଂ ହାଇକୋର୍ଟ ଜାମିନ ବେଳେ ଯେଉଁ ରିପୋର୍ଟ ଦେଇଛନ୍ତି, ମନ୍ତ୍ରୀ ଯଦି ସେହି ରିପୋର୍ଟ ପଢିବେ ତେବେ ସତ୍ୟ ଜାଣିପାରିବେ। ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ମନୋଭାବ ଜାଣିବା ପାଇଁ ଯିବା ଉଚିତ୍ ବୋଲି ବିଜେଡି କହିଛି। ସେମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ମନ୍ତ୍ରୀ କ’ଣ ଜ୍ୟୋତିଷ ଯେ ସେ ବିଜେଡିର ‘ଏକ୍ସପାୟରୀ ଡେଟ୍’ ନିର୍ଦ୍ଧାରଣ କରିବେ?
