LatestNewsPolitics

ନୀଳଗିରିରେ ବ୍ୟାପକ ଅନିୟମିତତା ଅଭିଯୋଗ କଲା ବିଜେଡି, ୨୪ରେ ବ୍ଲକ ଘେରାଓ ଚେତାବନୀ

ବାଲେଶ୍ବର (ସଂକେତ ଟିଭି): ନୀଳଗିରି ନିର୍ବାଚନମଣ୍ଡଳୀରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ସ୍ଥାନୀୟ ଷ୍ଟେସନ କ୍ଲବ ଠାରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେଇ ନୀଳଗିରି ବିଜେଡି ଦାବି କରିଛି। ଅନ୍ୟଥା ୨୪ରେ ବ୍ଲକ ଘେରାଓ ନେଇ ଚେତାବନୀ ଦିଆଯାଇଛି।

ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ବ୍ୟାପକ ମାରଣ ଓ ଦୁର୍ନୀତି ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ତଦନ୍ତ ଏବଂ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ବିଜେଡି ଅଭିଯୋଗ କରିଛି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଏନେଇ ଅଭିଯୋଗ ଆଣିବା ସହ ସ୍ଥାନୀୟ ନେତୃତ୍ୱ ଓ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ଵର ସଦରର ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ଉପସଭାପତି ରଞ୍ଜନ ବାଗ ଏବଂ ନୀଳଗିରିର ବରିଷ୍ଠ ନେତୃତ୍ୱଙ୍କ ମଧ୍ୟରେ ଗଙ୍ଗାଧର ମିଶ୍ର, ରବୀନ୍ଦ୍ର ପରିଡ଼ା, ରାଜୀବ ଦାସ ବାବୁ, କୁଳମଣି ନାୟକ, ଉପେନ୍ଦ୍ର ଦାସ, ସତ୍ୟବାନ ବାରିକ, ରାଧାଗୋବିନ୍ଦ ଖଟୁଆ ପ୍ରମୁଖ ମଞ୍ଚାସୀନ ଥିଲେ।

ସରକାରଙ୍କ ଜନଜାତି ବିଭାଗ ପକ୍ଷରୁ ମାଙ୍କିଡିଆ ଜନଜାତି ପାଇଁ ଉଦ୍ଦିଷ୍ଟ ରାସନ ପହଞ୍ଚି ପାରୁନଥିବା ବେଳେ ମୃତକଙ୍କ ନାମରେ ଚାଉଳ ଉଠାଯାଉଛି। ଦାସ ଖେରୁଆଳ ଏବଂ ସେମାନଙ୍କ ପରିବାର ବର୍ଗ ମୃତ ଥିବା ବେଳେ ସେମାନଙ୍କ ନାମରେ ରାସନ ଉଠାଯାଉଛି। ଏନେଇ ବାରମ୍ବାର ଦାବି ସତ୍ତ୍ୱେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନି।

ସେହିପରି ଅନ୍ତୋଦ୍ଧୟ ଗୃହ ଯୋଜନାରେ, ବରହମପୁର ପଞ୍ଚାୟତର ଅଁଳାପାଳ ଗ୍ରାମର ବାସନ୍ତୀ ବେହେରାଙ୍କର ଚାରି ଚାକିଆ ଗାଡ଼ି, ରୋଜଗାରିଆ ପୁଅ ଏବଂ ଇପିଏଫଓ ପେନସନ ମିଳୁଥିବା ସତ୍ତ୍ୱେ ତାଙ୍କୁ ଗୃହ ସୁବିଧା ଦିଆଯାଇଛି। ସମାନ ଭାବେ ନାରୀ ସଶକ୍ତିକରଣ ପାଇଁ ପ୍ରତି ପଞ୍ଚାୟତରେ ୩୦ ଲକ୍ଷ ଟଙ୍କାରେ ଗୃହ ନିର୍ମାଣ ନେଇ ସରକାରୀ ଯୋଜନା ଆସିଛି। ତେବେ ବେଗୁନିଆ ପଞ୍ଚାୟତ କାର୍ଯ୍ୟାଳୟକୁ ଲାଗି ବଡ଼ ଜାଗା ଥିବା ସତ୍ତ୍ୱେ ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବହୁ ଦୂରରେ ଥିବା ତୁଟାପଡ଼ା ଗ୍ରାମରେ କରାଯାଉଛି। ବହୁତ ଅଭିଯୋଗ ସତ୍ତ୍ୱେ ଏହାର ତଦନ୍ତ ହେଉନି।

ଅନ୍ୟ ଏକ ପ୍ରମୁଖ ଦୁର୍ନୀତି ହେଉଛି, ନୀଳଗିରିର ଫାର୍ମ ହାଉସ ପ୍ରଡ଼କ୍ସନରେ ନକଲି ଓ ନିମ୍ନମାନର ସାର ଉତ୍ପାଦନ ହେବାର ନଜିର ରହିଛି। ମାତ୍ର ଏଥିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନି କି ଚାଷୀଙ୍କୁ କୌଣସି ସହାୟତା ମିଳିନି।

ସେହିପରି ବେଗୁନିଆ ପଞ୍ଚାୟତର ନୂଆକୁଳିଆ ପୋଖରୀରେ ୩୦ ଲକ୍ଷ ଟଙ୍କାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଥିଲେ ମଧ୍ୟ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେଉନି। ଅନୁରୂପ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ହରିଲୁଟ ହୋଇଛି। ଯଥାକ୍ରମେ ୫ ଓ ୬ ଲକ୍ଷର କାର୍ଯ୍ୟ ହୋଇଥିଲେ ମଧ୍ୟ ସଠିକ ଭାବେ କାର୍ଯ୍ୟ ହୋଇନି। ସେହିପରି ବିଜିପିଓ ଅନ୍ତର୍ଗତ ମାଟିଆଳି ପଞ୍ଚାୟତରେ ମଧ୍ୟ ଦହପଡ଼ିଆ ଖେଳପଡ଼ିଆରେ ୪ ଲକ୍ଷ ଟଙ୍କାର କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ହୋଇଛି।

ସେହିପରି ୨୬-୨୭ ଆର୍ଥିକ ବର୍ଷରେ ବରହମପୁର ପଞ୍ଚାୟତର ସ୍ୱପ୍ନେଶ୍ଵର ଖେଳ ପଡିଆ ପାଇଁ ୭ ଲକ୍ଷ ଖର୍ଚ୍ଚ ହୋଇଥିଲେ ମଧ୍ୟ ଦୁର୍ନୀତି ବାରି ହୋଇପଡୁଛି। ସେହିପରି ବିଜିପିଓ କାର୍ଯ୍ୟ ନିରପେକ୍ଷତାର ସହ ରୂପାୟନ ହେବା ପାଇଁ ଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି ନିଜ ଲେଟର ପେଡରେ କେଉଁ କାମ କିଏ କରିବ ଲେଖିକରି ବିଭାଗୀୟ ଅଧିକାରୀଙ୍କୁ ଚାପ ଗ୍ରସ୍ତ କରୁଛନ୍ତି।

ସେହିପରି ସିଏଫସି ଏବଂ ଏସଏଫସିରେ ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଟାଏଡ ଫଣ୍ଡର ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। କେପି ଲାଖରାଜ ଓ ବେଗୁନିଆ ପଞ୍ଚାୟତରେ ଏପରି ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ତେବେ ପିଡି, ବିଡିଓ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ଏନେଇ ଲିଖିତ ଅଭିଯୋଗ ମଧ୍ୟ ଦିଆଯାଇଛି।

ତେବେ ଏହାର ଆଶୁ ତଦନ୍ତ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଆସନ୍ତା ୨୪ରେ ବ୍ଲକ ଘେରାଓ କରିବା ନେଇ ବିଜେଡି ଚେତାବନୀ ଦେଇଛି। ଏହି କାର୍ଯ୍ୟକ୍ରମକୁ ବାଲେଶ୍ଵର ଟାଉନ ସଭାପତି ମନୋଜ କୁମାର ରାଉତ, ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, ମାଇନରିଟି ସେଲର ରାଜ୍ୟ ସମ୍ପାଦକ ସେକ ଆୟୁବ, ଜିଲ୍ଲା ଯୁବ କାର୍ଯ୍ୟକାରୀ ସଭାପତି ଭରତ ଭୂଷଣ ଦାସ, ଜିଲ୍ଲା ଛାତ୍ର ସଭାପତି ହରେକୃଷ୍ଣ ପ୍ରଧାନ, ନୀଳଗିରିର ସୁରଥ ସିଂ, ସ୍ନେହରଞ୍ଜନ ପାତ୍ର, ଆଲୋକ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।