ଗଭୀର ଅବପାତ ଆଶଙ୍କା, ପ୍ରବଳ ବର୍ଷା ପାଇଁ ହାଇ ଆଲର୍ଟରେ ୧୧ ଜିଲ୍ଲା
ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତ (Deep Depression) ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ସେପ୍ଟେମ୍ବର ୨୩ ଏବଂ ୨୪ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂ ପାଣିପାଗ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ସିଷ୍ଟମ ବାତ୍ୟାର ରୂପ ନେବ ନାହିଁ। ତେବେ ଗଭୀର ଅବପାତ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ସହିତ ତୁଫାନି ପବନ ବହିବ। ସେପ୍ଟେମ୍ବର ୨୨ ତାରିଖ ସନ୍ଧ୍ୟାରୁ ପବନର ବେଗ ଘଣ୍ଟାପ୍ରତି ୫୫ ରୁ ୬୫ କିଲୋମିଟର ରହିବ ବୋଲି ଆଶଙ୍କା କରାଯାଉଛି। ୨୫ ତାରିଖ ବେଳକୁ ବର୍ଷାର ପ୍ରଭାବ ଉପକୂଳରୁ ଘୁଞ୍ଚି ଆଭ୍ୟନ୍ତରୀଣ ଓଡ଼ିଶା ଆଡ଼କୁ ଗତି କରିବ।
ଏହି ଗଭୀର ଅବପାତ ପ୍ରଭାବରେ ପୁରୀର ଦକ୍ଷିଣ ଭାଗ ଓ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ମୋଟ ୧୧ଟି ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି। କିଛି ସ୍ଥାନରେ ଲଗାଣ ବର୍ଷା କାରଣରୁ ପ୍ରାୟ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ, ଯାହା ଫଳରେ ସହରାଞ୍ଚଳ ଓ ତଳିଆ ଅଞ୍ଚଳଗୁଡ଼ିକରେ ଘୋର ଜଳବନ୍ଦୀ ସମସ୍ୟା ଉପୁଜିବାର ଭୟ ରହିଛି।
ଅତି ପ୍ରବଳ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କାରେ ମୁଖ୍ୟ ଶାସନ ସଚିବ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବିଶେଷକରି ଇନ୍ଦ୍ରାବତୀ ଏବଂ ତେଲେଙ୍ଗିରି ଭଳି ପ୍ରମୁଖ ଜଳଭଣ୍ଡାରଗୁଡ଼ିକରେ ଆଗୁଆ ଜଳସ୍ତର କମାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ବାଲିମେଳା ଏବଂ କୋଲାବ ଡ୍ୟାମରେ ବର୍ତ୍ତମାନ ଜଳ ସଂରକ୍ଷଣ ନିରାପଦ ସ୍ତରରେ ରହିଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ସହ ଉଦ୍ଧାର କାର୍ଯ୍ୟ ଏବଂ ଧନଜୀବନ ସୁରକ୍ଷା ନିମନ୍ତେ ପ୍ରସ୍ତୁତ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
