CrimeFeaturedLatestNews

ପରୀକ୍ଷା କେନ୍ଦ୍ର ନିକଟରୁ ସ୍କୁଟି ଓ ମୋବାଇଲ୍ ଚୋରି: ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର (ସଂକେତ ଟିଭି): ପରୀକ୍ଷା କେନ୍ଦ୍ର ବାହାରେ ଅଭିଭାବକ ସାଜି ସ୍କୁଟି ଓ ମୋବାଇଲ୍ ଚୋରି କରିବା ଘଟଣାରେ ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ମୁଖ୍ୟ ଅଭିଯୁକ୍ତ ଓ ଦୁଇ ଜଣ ଚୋରି ସାମଗ୍ରୀ ନେଉଥିବା ସହଯୋଗୀ ରହିଛନ୍ତି।

ମୁଖ୍ୟ ଅଭିଯୁକ୍ତ ହେଲା ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ମାଝୀ ସାହିର ଦୁଷ୍ମନ୍ତ ସୁବୁଦ୍ଧି (୩୫)। ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ବଡ଼ଗଡ଼ ବ୍ରିଟ କଲୋନିରେ ରହୁଥିବା କେନ୍ଦୁଝରର ରାକେଶ କୁମାର ସାହୁ (୨୮) ଓ ନନ୍ଦନକାନନ ଥାନା ଅଞ୍ଚଳର ମାନସ ବେହେରା (୩୦)।

ଏହି ମାମଲାରେ ପୋଲିସ ଗୋଟିଏ ସ୍କୁଟି, ୨୬ଟି ମୋବାଇଲ ଏବଂ ୪୩ଟି ମୋବାଇଲ ଡିସପ୍ଲେ ଓ ମଦରବୋର୍ଡ ଜବତ କରିଛି। ଅଭିଯୁକ୍ତମାନଙ୍କୁ ଗତକାଲି (ସୋମବାର) ରାତିରେ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ଜେଲ ପଠାଇ ଦିଆଯାଇଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ଡା. ଶୁଭମୟ ବେରାଙ୍କ ଲିଖିତ ଏତଲା ଆଧାରରେ ଅଗଷ୍ଟ ୩୦ରେ ଇନଫୋସିଟି ଥାନା ପୋଲିସ ମାମଲା (ନଂ.୮୧୩/୨୦୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ, ଗତ ଅଗଷ୍ଟ ୩୦ରେ ଶୁଭମୟ ନିଟ୍ ପରୀକ୍ଷା ଦେବା ପାଇଁ ପଟିଆସ୍ଥିତ ଆୟନ୍ ଡିଜିଟାଲ୍ ଜୋନକୁ ଆସିଥିଲେ। ପ୍ରବଳ ବର୍ଷା ଯୋଗୁ ସେ ନିଜ ହୋଣ୍ଡା ଆକ୍ଟିଭା ସ୍କୁଟିର ଡିକି ଭିତରେ ମୋବାଇଲ୍ ଫୋନ୍ ରଖି ବାହାରେ ଅଭିଭାବକ ଭଳି ଠିଆ ହୋଇଥିବା ଜଣେ ଅଜଣା ବ୍ୟକ୍ତି ଅଭିଯୁକ୍ତ ଦୁଷ୍ମନ୍ତ ସୁବୁଦ୍ଧିଙ୍କୁ ସ୍କୁଟି ଚାବି ଧରାଇ ପରୀକ୍ଷା ହଲକୁ ଯାଇଥିଲେ। ପରୀକ୍ଷା ସରିବା ପରେ ବାହାରକୁ ଆସି ଦେଖିଲା ବେଳକୁ ଅଭିଯୁକ୍ତ ଜଣକ ଉଭୟ ସ୍କୁଟି ଓ ମୋବାଇଲ୍ ଧରି ଫେରାର ହୋଇଯାଇଥିଲା।

ଇନଫୋସିଟି ପୋଲିସ ତଦନ୍ତ ଜାରି ରଖି ଆଜି ମୁଖ୍ୟ ଅଭିଯୁକ୍ତ ତଥା ପେସାଦାର ଚୋର ଦୁଷ୍ମନ୍ତ ସୁବୁଦ୍ଧିକୁ ଅନ୍ୟ ଏକ ପରୀକ୍ଷା କେନ୍ଦ୍ର ନିକଟରୁ ସମାନ ଢଙ୍ଗରେ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଉକ୍ତ ଚୋରା ସ୍କୁଟି ସହ କାବୁ କରିଥିଲା।

ପଚରାଉଚରା ବେଳେ ସେ ପରୀକ୍ଷା ଦେବାକୁ ଆସୁଥିବା ପିଲାମାନଙ୍କୁ ଟାର୍ଗେଟ୍ କରି ଗାଡ଼ି ଡିକିରୁ ମୋବାଇଲ୍ ଚୋରି କରି ବାପୁଜୀ ନଗରରେ ଏକ ମୋବାଇଲ୍ ଦୋକାନୀ ରାକେଶ ଏବଂ ନିଜ ସାଙ୍ଗ ମାନସକୁ ବିକୁଥିବା ସ୍ୱୀକାର କରିଥିଲା।

ଏହାପରେ ପୋଲିସ ବାପୁଜୀ ନଗରସ୍ଥିତ ‘ମାଷ୍ଟର ମୋବାଇଲ୍’ ଦୋକାନ ଉପରେ ଚଢ଼ାଉ କରି ଚୋରା ମୋବାଇଲ୍ କିଣୁଥିବା ଅଭିଯୁକ୍ତ ରାକେଶ ସାହୁକୁ କାବୁ କରିଥିଲା। ସେ ଚୋରା ମୋବାଇଲର ମଦରବୋର୍ଡ, ଡିସପ୍ଲେ ଆଦି ପାର୍ଟସ୍ ଖୋଲି ବିକ୍ରି କରୁଥିବା ବେଳେ ପୋଲିସ ତାଙ୍କଠାରୁ ବିପୁଳ ପରିମାଣର ଚୋରା ସାମଗ୍ରୀ ଜବତ କରିଛି।

ସେହିପରି ଅନ୍ୟ ଏକ ଚଢ଼ାଉରେ ପଟିଆ ଷ୍ଟେସନ୍ ନିକଟରୁ ଅନ୍ୟତମ ମୋବାଇଲ୍ କିଣାଳି ମାନସ ବେହେରାକୁ କାବୁ କରାଯାଇଥିଲା।