ବାତ୍ୟା ଅର୍ଣ୍ଣବ ପ୍ରଭାବ: ବୁଡ଼ିଛି ୧୬ ନମ୍ବର ଜାତୀୟ ରାଜପଥ, ଅଟକି ରହିଛି ଶହ ଶହ ଯାନବାହାନ
ଭୁବନେଶ୍ୱର (ସଂକେତ ଟିଭି): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବାହୁଦା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏହି ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ୧୬ ନମ୍ବର ଜାତୀୟ ରାଜପଥ ବୁଡ଼ି ଯାଇଛି। ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଗତକାଲିଠାରୁ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଛି। ଗାଡ଼ିଗୁଡ଼ିକ ନା ଆଗକୁ ବଢ଼ି ପାରୁଛନ୍ତି, ନା ପଛକୁ ଫେରି ପାରୁଛନ୍ତି। କେହି କାମରେ ବେଙ୍ଗାଲୁରୁ ଯାଉଥିଲେ, କେହି ତୀର୍ଥଯାତ୍ରାରେ ଯାଉଥିଲେ—ସମସ୍ତେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହିଛନ୍ତି। ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।
୧୬ ନମ୍ବର ଜାତୀୟ ରାଜପଥରେ ବନ୍ୟାଜଳ ପ୍ରବାହିତ ହେଉଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତଠାରୁ ଗଞ୍ଜାମ ଜିଲ୍ଲାର ଶେଷ ସୀମା ପର୍ଯ୍ୟନ୍ତ ଏକପ୍ରକାର ଯାତାୟାତ ଠପ୍ ହୋଇଯାଇଛି। ଗତକାଲିଠାରୁ ଦୀର୍ଘ ଘଣ୍ଟା ଧରି ଶହ ଶହ ଗାଡ଼ି ଅପେକ୍ଷା କରି ରହିଛନ୍ତି। ଟ୍ରକ୍ ଠାରୁ ଆରମ୍ଭ କରି ବସ୍ ପର୍ଯ୍ୟନ୍ତ ଅନେକ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଭଳି ସ୍ଥାନକୁ ଯିବା ପାଇଁ ଆସିଥିବା ଅନେକ ଯାତ୍ରୀ ରାଜପଥ କଡ଼ରେ ଅପେକ୍ଷା କରି ନାନା ହଇରାଣ ହରକତ ହେଉଥିବା କହିଛନ୍ତି।
ଆଜି (ଶୁକ୍ରବାର) ସକାଳୁ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଇଛାପୁରଠାରୁ ପଲାସା ମଧ୍ୟରେ ରହିଥିବା ୧୬ ନମ୍ବର ଜାତୀୟ ରାଜପଥ (ଚେନ୍ନାଇ-କୋଲକାତା) ଉପରେ ଯେଉଁ ବନ୍ୟାଜଳ ପ୍ରବାହିତ ହେଉଥିଲା, ତାହା ସୁଧୁରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅଦ୍ୟାବଧି ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜାତୀୟ ରାଜପଥ ଉପରେ ଯାନବାହାନ ଅଟକି ରହିଛି।
ରାସ୍ତାର ଦୁଇ ପଟେ ଶହ ଶହ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ି ଅଟକି ରହିଛି। ସେପଟେ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜରୁରୀ କାଳୀନ ଟ୍ରାଫିକ୍ ପରାମର୍ଶ (Traffic Advisory) ଜାରି କରାଯାଇଛି। ଯାତ୍ରୀ ଓ ଚାଳକମାନଙ୍କୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ସହ ଅତ୍ୟାବଶ୍ୟକ ନଥିଲେ ଏହି ମାର୍ଗରେ ଯାତ୍ରା ନକରିବାକୁ ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ଅନୁରୋଧ କରାଯାଇଛି। ଏହାକୁ ନେଇ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀ ଓ ରିଲିଫ୍ ଟିମ୍ ନିୟୋଜିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି।
ସେହିପରି ବାତ୍ୟା ଅର୍ଣ୍ଣବ ପରେ ବନ୍ୟା ସ୍ଥିତିରେ ଗଞ୍ଜାମ ବେହାଲ । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବାରୁ ଯାତାୟତ ପ୍ରଭାବିତ ହୋଇଛି । ବିଭିନ୍ନ ଜିଲ୍ଲାରେ ୧୩ଟି ସ୍ଥାନରେ ଭୂସ୍ଖଳନ ଘଟିଛି । କନ୍ଧମାଳ ଜିଲ୍ଲାରେ କଳିଙ୍ଗାଘାଟି, ବୋଲାଙ୍ଗିଆ, ଗଜଲବାଡ଼ି, ହାତୀମୁଣ୍ଡା, କ୍ରୁହୁବାଡ଼ା, ଡାଙ୍ଗିସିରେ ଭୂସ୍ଖଳନ ହୋଇଛି ।
ଗଜପତି ଜିଲ୍ଲାରେ ତପ୍ତପାଣି, ବଡ଼ଦେଉଳ, ବାଲିବାଡ଼ାରେ ଭୂସ୍ଖଳନ ଯୋଗୁଁ ଯାତାୟତ ପ୍ରବାହିତ ହୋଇଛି । ସେହିଭଳି ଗଞ୍ଜାମ ଜିଲ୍ଲାରେ ବାଙ୍କେଶ୍ୱରୀରେ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଛି । କୋରାପୁଟ ଜିଲ୍ଲାର ଗୌଡ଼ାବିଲା ଏବଂ ପୋଟାଙ୍ଗି ଭୂସ୍ଖଳନ ହୋଇଛି ।
