ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି, ୨ରେ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର (ସଂକେତ ଟିଭି): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସନ୍ତା ୨ ତାରିଖରେ ଓଡ଼ିଶା ଆସିବେ। ନାଭାଲ ହେଲିକପ୍ଟର ଜରିଆରେ ଖାଦ୍ୟ ପୁଡିଆ ଏୟାର ଡ୍ରପ୍ କରାଯିବ। ଗଞ୍ଜାମର ୨୨ଟି ସ୍ଥାନରେ ଏୟାର ଡ୍ରପ୍ କରାଯିବ। ଆଜି ବି ଆବଶ୍ୟକ ପଡ଼ିଲେ ଏୟାରଲିଫ୍ଟ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ଗଞ୍ଜାମ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଗଜପତି ଓ କନ୍ଧମାଳ ମଧ୍ୟ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟାରେ ବର୍ଷା କମିବା ଆଶ୍ୱସ୍ତି ଆଣିଛି। ଅକ୍ଟୋବର ୧ରୁ ୩୦ ଅକ୍ଟୋବର ମଧ୍ୟରେ ଓଡ଼ିଶାରେ ୧୩୨ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକ ବର୍ଷା ଠାରୁ ୧୮.୭ ପ୍ରତିଶତ ଅଧିକ। ତିନି ଦିନ ମଧ୍ୟରେ ଅଧିକ ବର୍ଷା ହୋଇଛି। ଗଞ୍ଜାମରେ ତିନି ଦିନ ମଧ୍ୟରେ ୧୧୮ ପ୍ରତିଶତ ବର୍ଷା ହୋଇଛି।
ଗଞ୍ଜାମରେ ୨୨ଟି ବ୍ଲକ୍ ପ୍ରଭାବିତ ହୋଇଛି। ୪୩ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୨୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୩୫୨ଟି ରିଲିଫ ସେଣ୍ଟରରେ ଲୋକେ ଆଶ୍ରୟ ନେଇଛନ୍ତି। ୭୨ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ୯ଟି ଗାଁ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି। କୋଷ୍ଟଗାର୍ଡ ହେଲିକପ୍ଟର ଜରିଆରେ ସ୍ଥାନାନ୍ତରଣ କରାଯାଇଛି।
ନାଭାଲ ହେଲିକପ୍ଟର ଏବେ ଉଡାଣ ଆରମ୍ଭ କରିବ। ହିଞ୍ଜିଳି, ଚିକିଟି, ପୁରୁଷତ୍ତମପୁର, ଶେରଗଡ, ଧରାକୋଟ, ଆସ୍କା ଓ ବେଲଗୁଣ୍ଠା ଭଳି ସ୍ଥାନରେ ୨୨ଟି ସ୍ଥାନରେ ଖାଦ୍ୟ ପୁଡିଆ ଏୟାର ଡ୍ରପ୍ କରାଯିବ। ୪୦ ଜଣ ତାଲିମପ୍ରାପ୍ତ ଲୋକ ରନ୍ଧା ଖାଦ୍ୟ ନେଇ ପହଞ୍ଚିବେ। ପାଣି ସ୍ରୋତ ଥିବା ଯୋଗୁଁ ଯିବା ସମ୍ଭବପର ହେଉନଥିଲା, ଆଜି ସ୍ଥିତି ସୁଧୁରିଛି। ଭୂସ୍ଖଳନ ଯୋଗୁଁ ବ୍ୟାପକ ପରିମାଣରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଏପର୍ଯ୍ୟନ୍ତ କୌଣସି କାଜୁଆଲିଟି ରିପୋର୍ଟ ଆସିନାହିଁ।
କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସନ୍ତା ୨ ତାରିଖରେ ଓଡ଼ିଶା ଆସିବେ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
