BusinessFeaturedLatestNews

ସେମିକନ୍-ଇଣ୍ଡିଆ ୨୦୨୬ ସମ୍ମିଳନୀରେ ଓଡ଼ିଶା ପାଭିଲିୟନ ଉଦଘାଟିତ

ନୂଆଦିଲ୍ଲୀ (ସଂକେତ ଟିଭି): ନୂଆଦିଲ୍ଲୀର ୟଶୋଭୂମିଠାରେ ଆୟୋଜିତ ବିଶ୍ବସ୍ତରୀୟ ‘ସେମିକନ୍-ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ଓଡ଼ିଶା ପାଭିଲିୟନ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାକୁ ଉଦଘାଟନ କରିଛନ୍ତି।

ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମତି ପ୍ରାପ୍ତ ୩ଟି ବିଶ୍ୱବିଦ୍ୟାଳୟ ଏବଂ ସେମିକନ ଇଣ୍ଡଷ୍ଟ୍ରିରେ କାମ କରୁଥିବା ୪ଟି କମ୍ପାନୀ ନିଜ ପ୍ରଡକ୍ଟ ପ୍ରଦର୍ଶନ କରିଛନ୍ତି। ସରକାରଙ୍କର ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ପଲିସିକୁ ମଧ୍ୟ ଏଠାରେ ପ୍ରଦର୍ଶିତ କରାଯାଇଛି। ଓଡ଼ିଶାକୁ ସେମିକଣ୍ଡକ୍ଟର ହବ କରିବା ପାଇଁ ରହିଛି ଯୋଜନା।

ଏହି ଓଡ଼ିଶା ପାଭିଲିୟନର ଥିମ୍ ରହିଛି ‘ସ୍ୟାଣ୍ଡ୍ ରୁ ସିଲିକନ୍’ – ଅର୍ଥାତ ସିଲିକା ବାଲିରୁ ସେମିକଣ୍ଡକ୍ଟର ଚିପ୍ ପର୍ଯ୍ୟନ୍ତ ଅସାଧାରଣ ଶିଳ୍ପ ଯାତ୍ରାକୁ ଦର୍ଶାଯାଇଛି। ପୂର୍ବରୁ କେବଳ ଖଣିଜ ଆଧାରିତ ଶିଳ୍ପ ପାଇଁ ଜଣାଶୁଣା ଥିଲା ଓଡ଼ିଶା, ଏବେ ଆଇଟି, ଡିପ୍-ଟେକ୍ ଏବଂ ସେମିକଣ୍ଡକ୍ଟର ହବ୍ ଭାବେ ଉଭା ହେଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଏକ୍ସ ଏକାଉଣ୍ଟରେ ଲେଖିଛନ୍ତି ଯେ ସେମିକନ୍-ଇଣ୍ଡିଆ ୨୦୨୬ ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଛନ୍ତି। ନିବେଶ, ପ୍ରଯୁକ୍ତି, ନବସୃଜନ ଏବଂ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଇ ଓଡ଼ିଶାର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରିବାର ଆଗାମୀ ପଥ ଉପରେ ଆଲୋଚନା ହୋଇଛି। ଓଡ଼ିଶା ଏକ ସୁଦୃଢ଼ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ ନିର୍ମାଣ ଏବଂ ଆତ୍ମନିର୍ଭର ଭାରତରେ ଅର୍ଥପୂର୍ଣ୍ଣ ଅବଦାନ ଦେବା ପାଇଁ ପ୍ରତିବଦ୍ଧ।

ରାଜ୍ୟ ସରକାରଙ୍କ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ନୀତି ବିଶ୍ବସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରୁଥିବା ବେଳେ ରାଜ୍ୟକୁ ବିପୁଳ ପୁଞ୍ଜି ନିବେଶ ପ୍ରସ୍ତାବ ମଧ୍ୟ ମିଳିଛି। ଏହି ସମ୍ମିଳନୀ ସହ ତାଳ ଦେଇ ଓଡ଼ିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି।

ଖୋର୍ଦ୍ଧାର ଇଡକୋ ଇନଫୋଭ୍ୟାଲି-୨ ଠାରେ ୨୧.୮୮ ଏକର ପରିମିତ ଜମିରେ ସିଲିକନ୍ କାର୍ବାଇଡ୍ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ କରାଯିବ। ରାଜ୍ୟର ୩ଟି ବିଶ୍ୱବିଦ୍ୟାଳୟ ଏବଂ ନିବେଶକମାନଙ୍କ ସହଯୋଗରେ ସ୍ଥାନୀୟ ଯୁବବର୍ଗଙ୍କୁ ସିଲିକା ସଂଶୋଧନ, ୱେଫର୍ କଟିଂ, ଚିପ୍ ଡିଜାଇନ୍ ଏବଂ ପ୍ୟାକେଜିଂ ପରି ଜଟିଳ ବିଷୟରେ ତାଲିମ ଦିଆଯିବ।

ଏହା ଦ୍ବାରା ହଜାର ହଜାର ଯୁବକଯୁବତୀଙ୍କ ପାଇଁ ଉଚ୍ଚ-ମାନର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ ୨୦୪୭’ ର ସ୍ବପ୍ନକୁ ସାକାର କରିବାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ।

Leave a Reply

Your email address will not be published. Required fields are marked *