ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ସଂଶୋଧିତ ସମୟସୀମା ଘୋଷଣା
ଭୁବନେଶ୍ୱର (ସଂକେତ ଟିଭି): ଆଗାମୀ ପୌର ନିର୍ବାଚନ ପୂର୍ବରୁ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ରେ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପ୍ରକ୍ରିୟା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ସମୟ ସୀମାରେ ପରିବର୍ତ୍ତନ କରିଛି। ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ଆଜି ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛନ୍ତି।
ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଇ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏହି ସଂଶୋଧିତ ସୂଚୀ ପଠାଯାଇଛି। ଗତ ୧୦ ତାରିଖରେ ଜାରି ହୋଇଥିବା ପୂର୍ବ କାର୍ଯ୍ୟସୂଚୀକୁ ଆଂଶିକ ପରିବର୍ତ୍ତନ କରି ନୂଆ ସମୟସୀମା ଧାର୍ଯ୍ୟ କରାଯାଇଛି।
ନୂଆ ସୂଚୀ ଅନୁଯାୟୀ, ଓଡ଼ିଶା ମ୍ୟୁନିସିପାଲ ଆକ୍ଟ-୧୯୫୦ର ଧାରା ୧୨ ଅନୁସାରେ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଧାରା ୧୧ ଅନୁସାରେ ଆସନ ସଂରକ୍ଷଣ ପ୍ରକ୍ରିୟା ଶେଷ କରିବାକୁ ହେବ। ଏହାପରେ ସେପ୍ଟେମ୍ବର ୨୪ ସୁଦ୍ଧା ଚିଠା ବିଜ୍ଞପ୍ତି ପ୍ରକାଶ କରି ସାଧାରଣ ଲୋକଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଆହ୍ୱାନ କରାଯିବ।
ଚିଠା ବିଜ୍ଞପ୍ତି ଉପରେ ଅକ୍ଟୋବର ୩ ପର୍ଯ୍ୟନ୍ତ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରାଯିବ। ଏହାକୁ ବିଚାର କରି ଜିଲ୍ଲାପାଳମାନେ ଅକ୍ଟୋବର ୭ରେ ଅସ୍ଥାୟୀ ବିଜ୍ଞପ୍ତି ପ୍ରକାଶ କରିବେ। ଏହି ଅସ୍ଥାୟୀ ବିଜ୍ଞପ୍ତି ବିରୋଧରେ ଅକ୍ଟୋବର ୭ ରୁ ୨୧ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗରେ ଅପିଲ କରାଯାଇପାରିବ।
ଅକ୍ଟୋବର ୨୬ରୁ ୨୮ ମଧ୍ୟରେ ଅପିଲଗୁଡ଼ିକର ଶୁଣାଣି କରାଯିବ ଏବଂ ସରକାରଙ୍କ ନିଷ୍ପତ୍ତି ସମ୍ପୃକ୍ତ ପକ୍ଷଙ୍କୁ ଜଣାଇ ଦିଆଯିବ। ସମସ୍ତ ଅପିଲ ଆବେଦନ ସହ ଜିଲ୍ଲାପାଳଙ୍କ ମତାମତକୁ ସ୍ୱତନ୍ତ୍ର ବାର୍ତ୍ତାବହ ମାଧ୍ୟମରେ ପଠାଇବାକୁ କୁହାଯାଇଛି। ଏଗୁଡ଼ିକ ଅକ୍ଟୋବର ୨୨ ସୁଦ୍ଧା ଭୁବନେଶ୍ୱର ଖାରବେଳ ଭବନସ୍ଥିତ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ।
ଅପିଲର ନିଷ୍ପତ୍ତି ପରେ ଆବଶ୍ୟକ ପରିବର୍ତ୍ତନକୁ ସାମିଲ କରି ଓଡ଼ିଶା ମ୍ୟୁନିସିପାଲ ଆକ୍ଟର ଧାରା ୧୨(୩) ଅନୁସାରେ ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ରହିଛି। ଏହାର ନକଲ ତୁରନ୍ତ ରାଜ୍ୟ ନିର୍ବାଚନ କମିଶନ, ରାଜ୍ୟ ସରକାର ଏବଂ ସମ୍ପୃକ୍ତ ମ୍ୟୁନିସିପାଲିଟି କିମ୍ବା ଏନଏସିକୁ ପଠାଯିବ।
ପୌର ନିର୍ବାଚନ ପ୍ରସ୍ତୁତିର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାକୁ ସଂଶୋଧିତ ସମୟସୀମା ମଧ୍ୟରେ କଡ଼ାକଡ଼ି ଭାବେ ଶେଷ କରିବାକୁ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ କୁହାଯାଇଛି।
