FeaturedLatestNews

ଗଭୀର ଅବପାତ ଜନିତ ଲଗାଣ ବର୍ଷା: ୬ ଜିଲ୍ଲାରେ ପ୍ରଭାବ, ୮ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର

ଭୁବନେଶ୍ୱର (ସଂକେତ ଟିଭି): ଗଭୀର ଅବପାତ ଜନିତ ଲଗାଣ ବର୍ଷା ରାଜ୍ୟର ୬ଟି ଜିଲ୍ଲାରେ ପ୍ରଭାବ ପକାଇଛି। ଏହି ପରିପ୍ରେକ୍ଷୀରେ ୮ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାର ୫ ଜଣ ଅଫିସରଙ୍କୁ ଫିଲ୍ଡକୁ ପଠାଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବୁଧବାର ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ମନ୍ତ୍ରୀଙ୍କୁ ପଠାଯାଇଥିଲା। ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଜପତି ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି।
ଗଜପତିରେ ବର୍ଷା ଯୋଗୁଁ କେତେକ ସ୍ଥାନରେ ଯୋଗାଯୋଗ ସମସ୍ୟା ଦେଖାଦେଇଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପକ୍ଷରୁ ରାସ୍ତା ପାର୍ଶ୍ୱରେ ଥିବା ପାହାଡ଼ ଅଞ୍ଚଳ ଉପରେ ନଜର ରଖାଯାଇଛି। ସମ୍ଭାବ୍ୟ ଭୂସ୍ଖଳନକୁ ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ନିଆଯାଇଛି। ଆବଶ୍ୟକ ସ୍ଥାନରେ କର୍ମଚାରୀ ମୁତୟନ ସହ ବ୍ୟାରିକେଡ୍ କରାଯାଇଛି। ଭୂସ୍ଖଳନ ଘଟିଲେ ତୁରନ୍ତ ରାସ୍ତାରେ ଯାତାୟାତ ବନ୍ଦ କରି ରାସ୍ତା ସଫା କରାଯିବ। ଏଭଳି ପରିସ୍ଥିତିରେ ସାଧାରଣ ଯାତାୟାତ ରୋକାଯିବ।

ମାଲକାନଗିରିର କିଛି ଅଞ୍ଚଳରେ ମଧ୍ୟ ରାସ୍ତା ଉପରେ ପାଣି ଚାଲୁଛି। ପୂର୍ବରୁ ଯେଉଁ ସ୍ଥାନରେ ରାସ୍ତା ଓ ପୋଲ ଉପରେ ପାଣି ଯାଉଥିଲା, ସେଠାରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅର୍ଥରେ ରାସ୍ତା ଓ ପୋଲ ଉଚ୍ଚା କରିବା କାମ ଚାଲିଛି। ଏବେ ମଧ୍ୟ କିଛି ସ୍ଥାନ ପ୍ରଭାବିତ ହୋଇଛି। ରାସ୍ତାରେ ଅଟକିଥିବା ଲୋକ, ରୋଗୀ ଓ ଗାଡ଼ିଚାଳକଙ୍କ ପାଇଁ ଖାଦ୍ୟ, ପାନୀୟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି।

୬ଟି ଜିଲ୍ଲା କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହି ୬ ଜିଲ୍ଲାର ୩୭ଟି ବ୍ଲକ, ୧୬୦ଟି ଗ୍ରାମ ପଞ୍ଚାୟତ ଓ ୨୩୭ଟି ଗାଁ ପ୍ରଭାବିତ ହୋଇଛି। ଏହାସହ ୫ଟି ଅର୍ବାନ୍ ଲୋକାଲ ବଡିର ୨୧ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ମୋଟ ୮,୨୦୫ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୮,୦୮୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଜିଲ୍ଲାପାଳମାନଙ୍କୁ ମଧ୍ୟ ସମ୍ଭାବ୍ୟ ବିପଦପ୍ରବଣ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ହେଲେ ତୁରନ୍ତ ସ୍ଥାନାନ୍ତର କରିବା, ରିଲିଫ୍ ବ୍ୟବସ୍ଥା ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ସମ୍ପ୍ରତି ରାଜ୍ୟରେ ୩୩ଟି ODRAF ଟିମ୍ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ମୁତୟନ ହୋଇଥିବା ନେଇ ମଧ୍ୟ ରିପୋର୍ଟ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *