FeaturedLatestNews

ରାଜ୍ୟରେ ୨୨,୧୨୦.୬ ଏକର ସରକାରୀ ଜମି ଜବରଦଖଲ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ସରକାରୀ ଜମି ଜବରଦଖଲକୁ ନେଇ ବିଧାନସଭାରେ ବଡ଼ ତଥ୍ୟ ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଜଣାଇଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୨,୧୨୦.୬ ଏକର ସରକାରୀ ଜମି ଜବରଦଖଲରେ ରହିଛି। ସେହିପରି ପ୍ରାୟ ୫,୨୬୬.୧୮ ଏକର ଜଙ୍ଗଲ କିସମର ସରକାରୀ ଜମି ମଧ୍ୟ ଜବରଦଖଲକାରୀଙ୍କ କବଜାରେ ରହିଛି।

ତେବେ ଜବରଦଖଲ ମୁକ୍ତ ପାଇଁ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ୨୮ଟି ଜିଲ୍ଲାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୧,୯୨,୬୫୬.୨୨ ଏକର ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି। ଏହାସହ ୨୮,୧୧୧.୦୮ ଏକର ଜଙ୍ଗଲ କିସମ ଜମିକୁ ମଧ୍ୟ ସରକାର ନିଜ ଅଧୀନକୁ ଆଣିବାରେ ସଫଳ ହୋଇଛନ୍ତି।

ମନ୍ତ୍ରୀ ନିଜ ଉତ୍ତରରେ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶା ସରକାରୀ ଜମି ଜବରଦଖଲ ଉଚ୍ଛେଦ ଆଇନ (OPLE Act, 1972) ଏବଂ ନିୟମାବଳୀ (Rules, 1985) ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା ଭାବେ ଜାରି ରହିଛି। ସରକାରୀ ଜମିକୁ ସୁରକ୍ଷିତ ରଖିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ୨୦୨୪ ଜୁଲାଇ ୬ ଏବଂ ସେପ୍ଟେମ୍ବର ୨୫ ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଥିଲା।

ଏହାବାଦ୍ ଜବରଦଖଲ ହଟାଇବା ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୨୦୨୫ ଅଗଷ୍ଟ ୨୨ ତାରିଖରେ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ବେଆଇନ ଜବରଦଖଲ ହଟାଇବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *