FeaturedLatestNews

ଏସସିବିସିଙ୍କ ପାଇଁ ସ୍ୱତନ୍ତ୍ର କମିଶନ ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ବର୍ଗ ବା SEBCଙ୍କ ରାଜନୈତିକ ପଛୁଆପଣ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ସେମାନଙ୍କ ପ୍ରତିନିଧିତ୍ୱର ଅନୁଧ୍ୟାନ ପାଇଁ ଏକ ସ୍ୱତନ୍ତ୍ର କମିଶନ ଗଠନ କରାଯାଇଛି।

ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କୁ କମିଶନର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିଜୟ କୁମାର ପୃଷ୍ଟିଙ୍କୁ ସଦସ୍ୟ ଏବଂ ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ମିଶ୍ରଙ୍କୁ ସଦସ୍ୟ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠର ନିର୍ଦ୍ଦେଶ ଅନୁସାରେ ଏହି କମିଶନ ଗଠନ କରାଯାଇଛି।

ଏନେଇ ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କମିଶନ ମୁଖ୍ୟତଃ ଦୁଇଟି ଦିଗ ଉପରେ ଅନୁଧ୍ୟାନ କରିବ।

ପ୍ରଥମେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ଓ ପୌର ସଂସ୍ଥାରେ ମୋଟ ଜନସଂଖ୍ୟା ତୁଳନାରେ SEBC ବର୍ଗଙ୍କ ସଂଖ୍ୟା କେତେ, ତାହା ଆକଳନ କରାଯିବ। ଏଥିପାଇଁ ସରକାରୀ ରେକର୍ଡ, ବିଭିନ୍ନ ରିପୋର୍ଟ, ସର୍ଭେ ଏବଂ ଉପଲବ୍ଧ ତଥ୍ୟକୁ ଆଧାର କରାଯିବ।

ଦ୍ୱିତୀୟରେ ପଞ୍ଚାୟତ ଓ ପୌର ସଂସ୍ଥାରେ SEBC ବର୍ଗଙ୍କ ରାଜନୈତିକ ପ୍ରତିନିଧିତ୍ୱ କେତେ ରହିଛି, ସେମାନେ ରାଜନୈତିକ ଦୃଷ୍ଟିରୁ କେତେ ପଛୁଆ ଏବଂ ଏହାର କାରଣ ଓ ପ୍ରଭାବ କ’ଣ, ସେନେଇ ତଥ୍ୟଭିତ୍ତିକ ଅନୁଧ୍ୟାନ କରାଯିବ।

କମିଶନକୁ ୩ ମାସ ମଧ୍ୟରେ ନିଜର ରିପୋର୍ଟ ଓ ସୁପାରିସ ରାଜ୍ୟ ସରକାରଙ୍କୁ ଦେବାକୁ କୁହାଯାଇଛି। ଏହି ରିପୋର୍ଟ ସ୍ଥାନୀୟ ନିର୍ବାଚନରେ SEBC ବର୍ଗଙ୍କ ପ୍ରତିନିଧିତ୍ୱ ଏବଂ ସଂରକ୍ଷଣ ସମ୍ପର୍କିତ ଆଗାମୀ ନିଷ୍ପତ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।
ତେବେ କମିଶନର ରିପୋର୍ଟ ଆସିବା ପରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ଏବଂ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଏହାର କି ପ୍ରଭାବ ପଡ଼ୁଛି, ତାହା ଉପରେ ନଜର ରହିବ।

Leave a Reply

Your email address will not be published. Required fields are marked *