EntertainmentFeaturedGeneralLatest

ବର୍ଷୀୟାନ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ

ମୁମ୍ବାଇ (ସଂକେତ ଟିଭି): ଭାରତୀୟ ସିନେମା ଜଗତ ପାଇଁ ଏକ ଦୁଃଖଦ ଖବର। ନିଜର ନିଖୁଣ ଅଭିନୟ ଏବଂ ଦମଦାର ଡାଏଲଗ୍ ଡେଲିଭରୀ ପାଇଁ ପରିଚିତ ବର୍ଷୀୟାନ ବଲିଉଡ୍ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ସକାଳେ ଗୋଆ ସ୍ଥିତ ନିଜ ବାସଭବନରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ବିୟୋଗରେ ସମଗ୍ର ବଲିଉଡ୍ ଏବଂ ମରାଠୀ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ ଅନୁଯାୟୀ, ଗୋଆର ଡୋନା ପାଉଲା ସ୍ଥିତ ନିଜ ଘରେ ଅଚେତ ଅବସ୍ଥାରେ ଉଦ୍ଧାର ହେବା ପରେ ନାନା ପାଟେକରଙ୍କୁ ତୁରନ୍ତ ମଣିପାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡା. ଶେଖର ସଲକରଙ୍କ ସୂଚନା ଅନୁସାରେ, ଡାକ୍ତରୀ ଦଳ ତାଙ୍କୁ ବଞ୍ଚାଇବା ପାଇଁ ପ୍ରାୟ ୪୫ ମିନିଟ୍ ଧରି କ୍ରମାଗତ ସିପିଆର (CPR) ଦେଇଥିଲେ ମଧ୍ୟ ତାଙ୍କର ଜୀବନ ରକ୍ଷା ହୋଇପାରିନଥିଲା। ଭୋର ୫:୨୦ ମିନିଟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାରେ ଏକ ମେଡିକୋ-ଲିଗାଲ୍ କେସ୍ (MLC) ରୁଜୁ କରାଯାଇଛି ଏବଂ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

୧୯୫୧ ମସିହାରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିବା ତାଙ୍କର ପ୍ରକୃତ ନାମ ଥିଲା ବିଶ୍ୱନାଥ ପାଟେକର। ୧୯୭୦ ଦଶକର ଶେଷ ଭାଗରେ ସେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ପାଞ୍ଚ ଦଶନ୍ଧି ଧରି ହିନ୍ଦୀ ଏବଂ ମରାଠୀ ସିନେମାରେ ସେ ରାଜ୍ କରିଥିଲେ। ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ‘ପରିନ୍ଦା’, ‘ପ୍ରହାର’, ‘କ୍ରାନ୍ତିବୀର’, ‘ଅଗ୍ନିସାକ୍ଷୀ’, ‘ଅବ୍ ତକ୍ ଛପ୍ପନ୍’, ଏବଂ ‘ୱେଲକମ୍’ ଆଦି ଅନ୍ୟତମ। ଜଣେ ନାୟକଠାରୁ ଆରମ୍ଭ କରି ଖଳନାୟକ ତଥା ହାସ୍ୟ ଅଭିନେତା ଭାବରେ ସେ ଦର୍ଶକଙ୍କ ମନ ଜିଣିଥିଲେ।

ଭାରତୀୟ ସିନେମାକୁ ଅବଦାନ ପାଇଁ ତାଙ୍କୁ ତିନିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। କଳା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୩ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ କରିଥିଲେ। କେବଳ ପରଦାରେ ନୁହେଁ, ବାସ୍ତବ ଜୀବନରେ ମଧ୍ୟ ସେ ଜଣେ ହିରୋ ଥିଲେ। ସେ ସ୍ଥାପନ କରିଥିବା ‘ନାମ ଫାଉଣ୍ଡେସନ୍’ ମାଧ୍ୟମରେ ମହାରାଷ୍ଟ୍ରର ମରୁଡ଼ି ପ୍ରପୀଡ଼ିତ ଚାଷୀମାନଙ୍କୁ ସାହାଯ୍ୟ କରି ସେ ସମାଜ ସେବା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ। ତାଙ୍କର ବିୟୋଗ ସହିତ ବଲିଉଡରେ ଏକ ସୁବର୍ଣ୍ଣ ଯୁଗର ଅନ୍ତ ଘଟିଛି।

ତାଙ୍କର ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଥିବା ବେଳେ ଓଡ଼ିଶାର ଶୀର୍ଷ ରାଜନୈତିକ ନେତୃବୃନ୍ଦ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନେତାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ନାନା ପାଟେକରଙ୍କ ମୃତ୍ୟୁ ଭାରତୀୟ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଅଭିନେତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି ଯେ, “ବର୍ଷୀୟାନ ଅଭିନେତା ନାନା ପାଟେକରଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ସ୍ୱତନ୍ତ୍ର ଡାଏଲଗ୍ ଡେଲିଭରି ଏବଂ ଜଟିଳ ଚରିତ୍ରକୁ ଅତି ସହଜରେ ଉପସ୍ଥାପନ କରିବାର କ୍ଷମତା ତାଙ୍କୁ ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା। ଶୋକସନ୍ତପ୍ତ ପରିବାର ସଦସ୍ୟ, ବନ୍ଧୁ ଏବଂ ପ୍ରଶଂସକଙ୍କୁ ମୋର ସମବେଦନା। ଓମ୍ ଶାନ୍ତି।”

ସୂଚନାଯୋଗ୍ୟ ଯେ, ଗୁରୁବାର ଭୋର ସମୟରେ ଗୋଆର ଡୋନା ପାଓଲା ସ୍ଥିତ ନିଜ ବାସଭବନରେ ଏହି ୭୫ ବର୍ଷୀୟ ଅଭିନେତା ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ତାଙ୍କୁ ତୁରନ୍ତ ମଣିପାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଦୀର୍ଘ ୪୫ ମିନିଟ୍ ଧରି ସିପିଆର (CPR) ଦିଆଯାଇଥିଲେ ସୁଦ୍ଧା ଭୋର ୫:୨୦ ମିନିଟ୍ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *