FeaturedLatestNews

ମୌସୁମୀର ଶେଷ ପର୍ଯ୍ୟନ୍ତ ଓଡ଼ିଶାକୁ ଛାଡ଼ିବନି ବିପଦ: ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବନ୍ୟା ପରିସ୍ଥିତି କିଛି ମାତ୍ରାରେ ସୁଧୁରିଥିଲେ ମଧ୍ୟ ଆସନ୍ତା ମୌସୁମୀ ମାସ ସାରା ଓଡ଼ିଶା ପାଇଁ ବିପଦ ଆଶଙ୍କା ରହିଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏହି ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୩ଟି ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବିଶେଷକରି ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ମହାନଦୀରେ ଆସିଥିବା ବନ୍ୟା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଜିଲ୍ଲାକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଛି। ଏହି ବନ୍ୟା ଯୋଗୁଁ ବ୍ୟାପକ ଚାଷ ଜମି ଓ ପନିପରିବା ଫସଲ ନଷ୍ଟ ହୋଇଯାଇଛି। କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯାଇଛି। ବନ୍ୟାରେ ଅନେକ ଘର ଭାଙ୍ଗି ଯାଇଥିବାରୁ ରାଜସ୍ୱ ଅଧିକାରୀମାନେ ଗାଁ ଗାଁ ବୁଲି କ୍ଷତିର ରିପୋର୍ଟ ପ୍ରସ୍ତୁତ କରିବେ।

ସମସ୍ତ ଜିଲ୍ଲାପାଳମାନଙ୍କୁ ସମ୍ବେଦନଶୀଳ ଓ ମାନବୀୟ ଦୃଷ୍ଟିକୋଣରୁ ପାଣି ଛାଡ଼ିବାର ୭୨ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବୋରୱେଲ, ବନ୍ଧ, କୂଅ ସମେତ ସମସ୍ତ ଜଳ ଉତ୍ସଗୁଡ଼ିକୁ ବିଶୋଧନ କରାଯାଉଛି। ଜଳ ବିଶୋଧନ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ ଲୋକମାନଙ୍କ ପାଖରେ ନିରାପଦ ପିଇବା ପାଣି ପହଞ୍ଚାଇବା ପାଇଁ ପ୍ରଶାସନ ବ୍ୟବସ୍ଥା କରୁଛି। ସାପ କାମୁଡ଼ା ଜନିତ ସମସ୍ୟାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟି-ଭେନମ ଇଞ୍ଜେକ୍ସନ ମହଜୁଦ ରହିଛି ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି।

ବନ୍ୟା ଯୋଗୁଁ ଶକ୍ତି ବିଭାଗ ସମେତ ଅନେକ ସରକାରୀ ବିଭାଗ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଅଙ୍ଗନବାଡ଼ି ଓ ସ୍କୁଲଗୁଡ଼ିକର କ୍ଷତି ରିପୋର୍ଟ ମଧ୍ୟ ମଗାଯାଇଛି ଏବଂ ଏଥିପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯିବ। ଜଳ ସମ୍ପଦ ବିଭାଗ ପକ୍ଷରୁ ଭାଙ୍ଗି ଯାଇଥିବା ଘାଇଗୁଡ଼ିକୁ ମରାମତି କରାଯାଉଥିବା ବେଳେ ଭବିଷ୍ୟତରେ ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଭିନ୍ନ ମନ୍ତ୍ରୀମାନେ ପ୍ରଭାବିତ ଜିଲ୍ଲାଗୁଡ଼ିକ ପରିଦର୍ଶନ କରି କ୍ଷତି ଆକଳନର ସମୀକ୍ଷା କରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *