FeaturedLatestNews

କୋଟିଆରେ ଆନ୍ଧ୍ର ଜିଲ୍ଲା ପରିଷଦ ନିର୍ବାଚନ: ସାରିକି ବୁଥ୍‌କୁ ନେଇ ଉତ୍ତେଜନା

କୋରାପୁଟ(ସଂକେତ ଟିଭି): ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଥିବା ବିବାଦୀୟ କୋଟିଆ ଅଞ୍ଚଳରେ କଡ଼ା ନଜର ଓ ସତର୍କତା ମଧ୍ୟରେ ଆଜି ଆନ୍ଧ୍ର ପ୍ରଦେଶରେ ଜିଲ୍ଲା ପରିଷଦ ନିର୍ବାଚନ ମତଦାନ ଆରମ୍ଭ ହୋଇଛି। ଓଡ଼ିଶାର ସୀମାନ୍ତ ଗ୍ରାମବାସୀଙ୍କ ଭୋଟ ହାତେଇବା ପାଇଁ ନରେଡ଼ିବାଲାସା ୨ କିମି ଦୂରରେ ଥିବା ସାରିକି ପଞ୍ଚାୟତରେ ବୁଥ୍ କରିଛି ଆନ୍ଧ୍ର। ସେପଟେ ଗଳାବାଟ ଦେଇ ଆନ୍ଧ୍ରକୁ ଭୋଟ ଦେବାକୁ ସୀମାନ୍ତ ଗ୍ରାମବାସୀ ଯାଇଥିବା ଜଣାପଡ଼ିଛି।

ଓଡ଼ିଶାର କୋରାପୁଟ ଜିଲ୍ଲାର ସରକାରୀ ଅଧିକାରୀ, ରାଜନୈତିକ ନେତା ଏବଂ ସ୍ଥାନୀୟ ଲୋକଙ୍କ ଦୃଢ଼ ବିରୋଧ ପରେ, ଆନ୍ଧ୍ର ପ୍ରଦେଶ ଅଧିକାରୀମାନେ ଗତକାଲି ନରେଡ଼ିବାଲାସା ଠାରେ ଏକ ମତଦାନ କେନ୍ଦ୍ର ସ୍ଥାପନ କରିବା ପ୍ରସ୍ତାବକୁ ପ୍ରତ୍ୟାହାର କରିନେଇଛନ୍ତି। ଏହି ସ୍ଥାନଟି ଗଞ୍ଜେଇପଦର ଅଞ୍ଚଳର ଭୋଟରଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଯାହାକୁ ଆନ୍ଧ୍ର ପ୍ରଦେଶ ସରକାରୀ ରେକର୍ଡରେ ଗଞ୍ଜେଇଭଦ୍ର ବୋଲି ଉଲ୍ଲେଖ କରାଯାଇଛି।

ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ କହିଛନ୍ତି, ସବୁ ଦଳର ନେତାମାନେ ଏକ ହୋଇ ଆନ୍ଧ୍ରକୁ ଓଡ଼ିଶା ସୀମାରେ ବୁଥ କରିବାକୁ ଦେଇନାହୁଁ। କୋଟିଆ ଆମର ଥିଲା, କୋରାପୁଟର ସ୍ବାଭିମାନ ଓ ଓଡ଼ିଶାରେ ଏକ ଅବିଚ୍ଛେଦ ଅଙ୍ଗ ହୋଇ ଅଛି ଓ ରହିବ। ପ୍ରତି ଗାଁରେ ଆନ୍ଧ୍ର ୪ରୁ ୫ଟି ଏଜେଣ୍ଟ ରଖିଛନ୍ତି। ଏଥିପ୍ରତି ଓଡ଼ିଶା ସରକାର ଦୃଷ୍ଟି ଦେବା ଉଚିତ। ଯେଉଁମାନେ ଓଡ଼ିଶା ଭିତରେ ପଶି ଆନ୍ଧ୍ର ପାଇଁ ଲୋକମାନଙ୍କୁ ପ୍ରଲୋଭିତ କରୁଛନ୍ତି ସେମାନଙ୍କୁ ଦମନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ଆବଶ୍ୟକ।

ତେବେ, ବର୍ତ୍ତମାନ ସାରିକି ଉପରେ ସମସ୍ତଙ୍କ ନଜର ରହିଛି। ଏହା ଆନ୍ଧ୍ର ପ୍ରଦେଶର ଏକ ପଞ୍ଚାୟତ ମୁଖ୍ୟାଳୟ ଯାହା ନରେଡ଼ିବାଲାସା ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଏବଂ ସେଠାରେ ଏକ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଗଞ୍ଜେଇପଦରର ଭୋଟରମାନେ ସୀମା ଅତିକ୍ରମ କରି ସାରିକି ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବେ କି ନାହିଁ, ସେ ସଂକ୍ରାନ୍ତରେ ଆଶା ଓ ଆଶଙ୍କା ଭରି ରହିଥିଲା।

ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି, ଆଜି ସ୍ଥିତି ଠିକ୍ ରହିଛି। ଆନ୍ଧ୍ରକୁ ଯାଇ ଭୋଟ ଦେବାକୁ ପ୍ରୟାସ କରୁଥିବା କିଛି କୋଟିଆବାସୀଙ୍କୁ ବୁଝାସୁଝା କରି ଅଟକା ଯାଉଛି। ସେମାନଙ୍କୁ ଚେତାବନୀ ଦିଆଯାଉଛି ଯେ, ଯଦି ସେମାନେ ଆନ୍ଧ୍ରରେ ଭୋଟ ଦେବେ ତେବେ ସରକାର କଠୋର ପଦକ୍ଷେପ ନେବେ। ଯଦି କୋଟିଆକୁ ବଞ୍ଚାଇବାର ଅଛି ତେବେ ନରମ ନୁହେଁ ଚରମପନ୍ଥୀ ହେବାକୁ ପଡ଼ିବ।

ଓଡ଼ିଶାର ଅଧିକାରୀ ଏବଂ ରାଜନୈତିକ ପ୍ରତିନିଧିମାନେ ଏହି ପରିସ୍ଥିତି ଉପରେ, ବିଶେଷକରି ସୀମା ଦେଇ ଲୋକଙ୍କ ଯାତାୟାତ ଉପରେ କଡ଼ା ନଜର ରଖିଛନ୍ତି। ସେମାନେ ସ୍ଥାନୀୟ ବାସିନ୍ଦାଙ୍କୁ ଅନୁରୋଧ କରୁଛନ୍ତି ଯେ, ଓଡ଼ିଶାର କୋଟିଆ ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବା ଅଞ୍ଚଳ ଗୁଡ଼ିକ ପାଇଁ ଆନ୍ଧ୍ର ପ୍ରଦେଶ ଦ୍ୱାରା ଆୟୋଜିତ ନିର୍ବାଚନରେ ସେମାନେ ଅଂଶଗ୍ରହଣ ନ କରନ୍ତୁ। ତେବେ ଓଡ଼ିଶା ପ୍ରଶାସନ ତଥା ରାଜନୈତିକ ନେତୃବୃନ୍ଦଙ୍କ ଅନୁରୋଧକୁ ଭ୍ରୁକ୍ଷେପ ନକରି କିଛି ଗ୍ରାମବାସୀ ସାରିକି ଯାଇ ଭୋଟ ଦେଇ ଆସୁଥିବା ଦେଖାଯାଇଛି।

କଂଗ୍ରେସ ବିଧାୟକ ତାରା ବାହୀନିପତି କହିଛନ୍ତି, “ଓଡ଼ିଶା ସୀମାର ୧ କିମି ଦୂରରେ ଆନ୍ଧ୍ର ପୋଲିଂ ବୁଥ କରିଛି। ଗତ ନିର୍ବାଚନରେ ଅନେକ ବିବାଦ ପରେ କେହି ଭୋଟ ଦେବାକୁ ଯାଇ ନଥିଲେ। ଏ ବର୍ଷ ଭୋଟିଂ ପୂର୍ବରୁ ଲୋକମାନେ ଆନ୍ଧ୍ର ସୀମାକୁ ଚାଲି ଗଲେଣି। ପରେ ଆନ୍ଧ୍ର ଅଧିକାରୀ ଆସି କହିଲେ ଆମେ ଓଡ଼ିଶା ସୀମାରେ ବୁଥ୍ କରିବୁ ନାହିଁ। ଏହା ସମାଧାନ ନୁହେଁ। ସରକାର ନିଷ୍ପତ୍ତି ନେବା ଉଚିତ ଯେ, କୋଟିଆ ଓଡ଼ିଶାର ନା ଆନ୍ଧ୍ରପ୍ରଦେଶର। ଯେଉଁମାନେ ଆନ୍ଧ୍ରକୁ ଭୋଟ ଦେବାକୁ ଯାଉଛନ୍ତି ସେମାନଙ୍କ ଭୋଟ ଓ ରାସନ କାଟିଦେବା ଦରକାର। ଯେଉଁମାନେ ଏହାର ନେତୃତ୍ବ ନେଉଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପ୍ରଶାସନକୁ ଧନ୍ୟବାଦ ଦେଉଛି ଯେ, ସେମାନେ ଠିକ୍ ପଦକ୍ଷେପ ନେଇଛନ୍ତି। ଅସଲ କଥା ଉପରକୁ ଯାଇ ସବୁଦିନ ପାଇଁ ଏହି ବିବାଦର କେମିତି ସମାଧାନ ହେବା ତାହା ଉପରେ ସରକାର ଧ୍ୟାନ ଦେବା ଉଚିତ।”

Leave a Reply

Your email address will not be published. Required fields are marked *