FeaturedLatestNews

୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା-ବିଜୁଳି ଆଶଙ୍କା

ଭୁବନେଶ୍ୱର (ସଂକେତ ଟିଭି): ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗି ରହିପାରେ । ପାଣିପାଗ ବିଭାଗ ଆଜି ଓ କାଲି ଦୁଇ ଦିନ ପ୍ରବଳ ବର୍ଷା ନେଇ ଆକଳନ କରିଛି । ଏହାକୁ ଦୃଷ୍ଟିରେ ରଖି ମୋଟ ୨୧ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସହ ପ୍ରବଳ ବଜ୍ରପାତ ଓ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାସହ ଆଜି ଓ କାଲି ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ପାଇଁ କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାକୁ ବିଶେଷ ସତର୍କତା ଜାରି କରାଯାଇଛି ।

ଅଗଷ୍ଟ ୪ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଏଥିପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ସେପଟେ, ବନ୍ୟା ପରିସ୍ଥିତି ଯୋଗୁଁ ଶହ ଶହ ଗାଁ ବିଚ୍ଛିନ୍ନ ହୋଇପଡ଼ିଛି । ଯଦିଓ ବନ୍ୟା ପାଣି ଧୀରେ ଧୀରେ କମୁଛି, ତଥାପି ଓଡ଼ିଶାର ଅନେକ ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ହୋଇନାହିଁ । ଏବେ ବି ଶହ ଶହ ଗାଁ ଜଳବନ୍ଦୀ ରହିଛି । ବନ୍ୟାରେ ଅନେକ ରାସ୍ତା, କଲଭର୍ଟ ଓ ସେତୁ ଧୋଇଯାଇଛି । ବିଶେଷକରି ଭଦ୍ରକର ଭଣ୍ଡାରିପୋଖରୀର ବୁଢ଼ାପଦା ସେତୁ ଭଳି ଅନେକ ସଂଯୋଗ ପଥ ବନ୍ଦ ହୋଇଯାଇଛି । ଫଳରେ ଅନେକ ଗାଁକୁ ଏବେ କେବଳ ଡଙ୍ଗା ମାଧ୍ୟମରେ ପହଞ୍ଚିବା ସମ୍ଭବ ହେଉଛି ।

ବାଲେଶ୍ୱର ଓ ଭଦ୍ରକ ଭଳି ଉପକୂଳ ଅଞ୍ଚଳରେ ପୂର୍ଣ୍ଣିମା ଜୁଆରର ପ୍ରଭାବ ରହିଛି । ନଦୀର ପାଣି ସମୁଦ୍ରକୁ ଧୀରେ ଧୀରେ ନିଷ୍କାସନ ହେଉଥିବାରୁ ସ୍ରୋତ ଅଧିକ ବିପଜ୍ଜନକ ହୋଇପଡ଼ିଛି । ଏଭଳି ପରିସ୍ଥିତିରେ ମୋଟରଚାଳିତ ଡଙ୍ଗା ଚଳାଇବା ମଧ୍ୟ ଜୀବନ ପ୍ରତି ବିପଦପୂର୍ଣ୍ଣ । ପାଣି ତଳେ ପଡ଼ିଥିବା ଗଛ, ଭଗ୍ନାବଶେଷ ଓ ବିଦ୍ୟୁତ୍ ଖୁଣ୍ଟ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି । ଜଳମଗ୍ନ ଗାଁ ରାସ୍ତାରେ ଡଙ୍ଗା ଚଳାଚଳ କରିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି ।

ଏକାସାଙ୍ଗରେ ୨୦ରୁ ଅଧିକ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିବାରୁ NDRF ଓ ODRAF ଟିମକୁ ଶହ ଶହ ପଞ୍ଚାୟତରେ ବିଭକ୍ତ ହୋଇ ଉଦ୍ଧାର କାର୍ଯ୍ୟ କରିବାକୁ ପଡ଼ୁଛି । ଖାଲି ସେତିକି ନୁହେଁ, ବନ୍ୟା ପାଣି କମିବା ପରେ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ବଢ଼ିଛି । ଅନେକ ସ୍ଥାନରେ ଔଷଧର ଅଭାବ ମଧ୍ୟ ରହିଛି । ଏଣୁ ସ୍ବାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି । ଏସବୁ ସହ ବନ୍ୟା ପାଣି ସହ ସାପ ଭଳି ବିଷାକ୍ତ ପ୍ରାଣୀ ଘର ଭିତରକୁ ପଶୁଥିବାରୁ ଗ୍ରାମବାସୀ ଆତଙ୍କିତ ଅଛନ୍ତି ।