FeaturedLatestNews

ଇଣ୍ଡି ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା; ରାଜ୍ୟବ୍ୟାପୀ ଜନଜୀବନ ପ୍ରଭାବିତ

ଭୁବନେଶ୍ୱର (ସଂକେତ ଟିଭି): ଇଣ୍ଡି ମେଣ୍ଟ ପକ୍ଷରୁ ଗୁରୁବାର ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବନ୍ଦ ପ୍ରଭାବରେ ଗାଡ଼ିମୋଟର ଚଳାଚଳ ଠପ୍ ହୋଇଯିବାରୁ ଅନ୍ୟ ରାଜ୍ୟର ପର୍ଯ୍ୟଟକମାନେ ଭୁବନେଶ୍ୱରରେ ଅଟକି ଯାଇଛନ୍ତି। ଏହାସହ ଅନେକଙ୍କ ଭ୍ରମଣ ଯୋଜନା ଅଚଳ ହୋଇପଡ଼ିଛି।

ରିପୋର୍ଟ ଅନୁଯାୟୀ, କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ସହଯୋଗୀ ଦଳର କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ କରି ଗାଡ଼ି ଅଟକାଇବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହି ଆନ୍ଦୋଳନ ଯୋଗୁଁ ରାଜ୍ୟର ପ୍ରମୁଖ ସହର ଓ ନଗରଗୁଡ଼ିକରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି ଏବଂ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାବ୍ୟତୀତ ବିକ୍ଷୋଭକାରୀମାନେ ରେଳ ରୋକୋ କାର୍ଯ୍ୟକ୍ରମ ଅଧୀନରେ କିଛି ରେଳ ଷ୍ଟେସନରେ ଟ୍ରେନ୍ ଅଟକାଇ ପ୍ରତିବାଦ ଜଣାଇଛନ୍ତି।

ବନ୍ଦ ପାଳନ ସମୟରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ, ଔଷଧ ଦୋକାନ ଏବଂ କ୍ଷୀର ଗାଡ଼ି ଭଳି ଅତ୍ୟାବଶ୍ୟକ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। ଚିକିତ୍ସା ସେବା, ଜରୁରୀକାଳୀନ ଅପରେସନ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ବିକ୍ଷୋଭକାରୀଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି।

ସରକାରଙ୍କ ଉପରେ ଚାପ ପକାଇବା ପାଇଁ ମୁଖ୍ୟତଃ ୩ଟି ପ୍ରମୁଖ ଦାବି ନେଇ କଂଗ୍ରେସ ଏହି ରାଜ୍ୟବ୍ୟାପୀ ବନ୍ଦର ଆୟୋଜନ କରିଛି:
୧. ପ୍ରଥମତଃ, ଏମଏମଡିଆର ସଂଶୋଧନ ଆଇନ (MMDR Amendment Act), ୨୦୨୬ କୁ ପ୍ରତ୍ୟାହାର କରିବା ଦାବି। କଂଗ୍ରେସର ଅଭିଯୋଗ ଅନୁଯାୟୀ ଏହି ସଂଶୋଧିତ ଖଣି ଆଇନ ଦ୍ୱାରା ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର ଏବଂ ରାଜ୍ୟର ଆର୍ଥିକ ସ୍ୱାର୍ଥ କ୍ଷୁର୍ଣ୍ଣ ହେବ।
୨. ଦ୍ୱିତୀୟତଃ, ସ୍କୁଲ ପାଠ୍ୟପୁସ୍ତକରେ ରହିଥିବା ବ୍ୟାପକ ତ୍ରୁଟି ଅଭିଯୋଗ ଆଣି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ଇସ୍ତଫା ଦାବି କରାଯାଇଛି।
୩. ତୃତୀୟତଃ, ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ତାଙ୍କୁ ତୁରନ୍ତ ଗିରଫ କରିବା ନେଇ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *