CrimeLatestNews

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗୀର ରାଜସ୍ୱ ନିରୀକ୍ଷକ

ଭୁବନେଶ୍ୱର (ସଂକେତ ଟିଭି): ବଲାଙ୍ଗୀର ଜିଲ୍ଲା ସାନ୍ତଳା ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ଆଲାନ ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଆବେଦନକାରୀଙ୍କ କୃଷି ଜମିକୁ ଘରବାରି କିସମ ଜମିରେ ପରିବର୍ତ୍ତନ କରିବା ସଂକ୍ରାନ୍ତ ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ସେ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ତାଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ।

ଆବେଦନକାରୀ ଜଣକ ଗତ ସେପ୍ଟେମ୍ବର ୭ ତାରିଖରେ ଏଥିପାଇଁ ଅନଲାଇନରେ ଆବେଦନ କରିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଭିଯୁକ୍ତ ରାଜସ୍ୱ ନିରୀକ୍ଷକ ଫାଇଲ୍ ପ୍ରକ୍ରିୟା ଆଗକୁ ବଢ଼ାଉ ନଥିଲେ। ସେ ପ୍ରଥମେ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଆବେଦନକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ପରିମାଣ ୩ ହଜାର ଟଙ୍କାକୁ କମାଇ ଦେଇଥିଲେ।

ଏନେଇ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଯୋଜନା ମୁତାବକ ଆଜି ଲାଞ୍ଚ ଟଙ୍କା ନେବା ସମୟରେ ଆଲାନ ବେହେରାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ସମସ୍ତ ୩ ହଜାର ଟଙ୍କା ଜବତ କରାଯାଇଛି।

ଏହି ଘଟଣା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ। ଏ ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *