BusinessFeaturedLatestNews

ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ ଭାରତ ଟ୍ୟାକ୍ସି ସେବା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର। ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଭାରତ ଟ୍ୟାକ୍ସି’ ସେବା। ଓଲା ଏବଂ ଉବେର ଭଳି ଘରୋଇ ଆପ୍-ଭିତ୍ତିକ ଟ୍ୟାକ୍ସି କମ୍ପାନୀଗୁଡ଼ିକ ଭଳି ଏହି ସରକାରଙ୍କ ଦ୍ୱାରା ପରିଚାଳିତ ସେବା ଯାତ୍ରୀଙ୍କୁ ସୁବିଧା ଯୋଗାଇଦେବ।

ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦ୍ୱାରା ୨୦୨୬ ଫେବ୍ରୁଆରୀ ୫ ତାରିଖରେ ଏହି ‘ଭାରତ ଟ୍ୟାକ୍ସି’ ଯୋଜନାର ଶୁଭାରମ୍ଭ କରାଯାଇଥିଲା।

ଏବେ ଏହାକୁ ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ଏବଂ ଆବଶ୍ୟକୀୟ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଉଛି।

ଏହି ଯୋଜନାର ସଫଳ ପରିଚାଳନା ପାଇଁ ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଗତ ମାର୍ଚ୍ଚ ୨୦୨୬ରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି। ଏହି ଆଲୋଚନାରେ ବିଭିନ୍ନ ସମବାୟ ସମିତି ମାଧ୍ୟମରେ କିପରି ଏହି ଟ୍ୟାକ୍ସି ସେବାକୁ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ ଏବଂ ଏହାର ବ୍ୟାବହାରିକ ଉପଯୋଗୀତା କ’ଣ ରହିବ, ସେ ନେଇ ବିସ୍ତୃତ ସମୀକ୍ଷା କରାଯାଇଛି।

ବର୍ତ୍ତମାନ ଏହି ଯୋଜନାର ଚୂଡ଼ାନ୍ତ ରୂପରେଖ ଓ ନୀତି ନିର୍ଦ୍ଧାରଣ ବିଭାଗୀୟ ବିଚାରାଧୀନ ରହିଛି। ସବୁ ପ୍ରକ୍ରିୟା ଶେଷ ହେବା ପରେ ଖୁବଶୀଘ୍ର ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ‘ଭାରତ ଟ୍ୟାକ୍ସି’ ଗଡ଼ିବ, ଯାହା ଗାଡ଼ି ଚାଳକଙ୍କ ସହ ଯାତ୍ରୀଙ୍କୁ ମଧ୍ୟ ସୁଲଭ ଦରରେ ସୁରକ୍ଷିତ ଯାତାୟାତର ସୁବିଧା ଯୋଗାଇଦେବ।

Leave a Reply

Your email address will not be published. Required fields are marked *