ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ୧୪୨ ଓ ବିସିଜେଡି ୧୨୧ ଆସନରେ ବିଜୟୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହଙ୍ଗାମା, ପୋଲିସ ଛାଉଣୀ, ସ୍ଲୋଗାନବାଜି ଏବଂ ପ୍ରତିବାଦ ମଧ୍ୟରେ ଶେଷ ହୋଇଛି । ରାତି ସାଢ଼େ ୨ଟା ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା । ସବୁଠି ଦେଖିବାକୁ ମିଳିଛି କଡ଼ା ଟକ୍କର ।
ଫଳାଫଳ ଅନୁସାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୧୪୨ଟି ଏବଂ ବିଜୁ ଛାତ୍ର ଜନତା ଦଳ ୧୨୧ଟି ଆସନରେ ବାଜିମାତ୍ କରିଥିବା ଦାବି କରିଛି । କେନ୍ଦୁଝର, ଗଞ୍ଜାମ ଓ ସମ୍ବଲପୁରରେ ଏବିଭିପି ଦବଦବା ଦେଖାଇଥିବା ବେଳେ କଟକ, କେନ୍ଦ୍ରାପଡ଼ା ଓ ବରଗଡ଼ରେ ବିସିଜେଡି ବିଜୟୀ ହୋଇଛି ।
ବାଣୀବିହାରରେ ଏବିଭିପି ସମର୍ଥିତ ପ୍ରାର୍ଥୀ ଅଭିରାମ ମିଶ୍ର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିସିଜେଡି ନିଜର ଗଡ଼ ରକ୍ଷା କରିଛି । ଏଠାରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ସୋନାଲି ବେହେରା ସଭାପତି ନିର୍ବାଚିତ ହୋଇଛନ୍ତି । ବିଜୟୀ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ବିଜୟ ଉତ୍ସବ ପାଳନ କରିଛନ୍ତି ।
ତେବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ପୂର୍ବ ସରକାରଙ୍କୁ ମଧ୍ୟ ଟାର୍ଗଟ୍ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ପୂର୍ବ ସରକାର ନିଜର ରାଜନୈତିକ ସ୍ୱାର୍ଥ ପାଇଁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ସ୍ୱରକୁ ଚାପି ଦେଇଥିଲେ । କିନ୍ତୁ ଆମେ ଛାତ୍ର ସମାଜକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି, ସଫଳତାର ସହ ନିର୍ବାଚନ ପରିଚାଳନା କରିଛୁ ଏବଂ କ୍ୟାମ୍ପସରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିଛୁ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ଛାତ୍ରଛାତ୍ରୀଙ୍କ ଆଶା, ଆକାଂକ୍ଷା ତଥା ସେମାନଙ୍କ ସ୍ୱରକୁ ସମ୍ମାନ ଜଣାଇ ଆପଣମାନେ ନିଜ ନିଜର ଦାୟିତ୍ୱକୁ ନିଷ୍ଠା ଓ ସଚ୍ଚୋଟତାର ସହ ତୁଲାଇବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ । କ୍ୟାମ୍ପସରେ ଶୃଙ୍ଖଳା, ଶୈକ୍ଷିକ ବାତାବରଣ, ଏକତା ଓ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାକୁ ଆହୁରି ସୁଦୃଢ଼ କରି ଏକ ବିକଶିତ ଓଡ଼ିଶା ଗଠନରେ ଆପଣମାନେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ । ସମସ୍ତ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ତଥା ସଫଳ କାର୍ଯ୍ୟକାଳ କାମନା କରୁଛି ।
ଏହି ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ସମସ୍ତ ପ୍ରାର୍ଥୀ ଓ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ବିଜୟ ଓଡ଼ିଶାର GenZ, ଯୁବ ଓ ଛାତ୍ରଶକ୍ତିଙ୍କ ନିଷ୍ଠା ଏବଂ ଏକତାକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି।
ଛାତ୍ର ସଂସଦ ନିର୍ବାଚନକୁ ଅନ୍ୟାୟ ଓ ଅସାଧୁ ଉପାୟରେ ଜିତିବା ପାଇଁ ବିଜେପି ସରକାରର ଚକ୍ରାନ୍ତ ବିରୋଧରେ ଦୃଢ଼ତାର ସହ ଲଢ଼ିଥିବା ବିସିଜେଡି ତଥା ବିଜେଡିର ସମସ୍ତ ନେତାମାନଙ୍କୁ ନବୀନ ସାଧୁବାଦ ଜଣାଇଛନ୍ତି। କଲେଜର ଶୈକ୍ଷିକ ବାତାବରଣକୁ ବଜାୟ ରଖି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସମସ୍ତେ ଏକ ହୋଇ ଆଗେଇ ଆସନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।
