ଓଡ଼ିଶାରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଶନିବାର ଓଡ଼ିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ନବନିଯୁକ୍ତ ରାଜ୍ୟପାଳଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ, ମନ୍ତ୍ରୀ ଏବଂ ବିଧାୟକମାନେ।
ବିମାନବନ୍ଦରରୁ ସିଧା ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ପୁରୀରେ ପହଞ୍ଚିବା ପରେ ସେ ପ୍ରଥମେ ଲୋକଭବନକୁ ଯାଇଥିଲେ ଏବଂ ସେଠାରୁ ସନ୍ଧ୍ୟା ସମୟରେ ସପରିବାରେ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ।
ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନଙ୍କ ପକ୍ଷରୁ ନୂତନ ରାଜ୍ୟପାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଗସ୍ତ ସମୟରେ ଏକ ସ୍ୱତନ୍ତ୍ର ତଥା ଭାବପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାଜ୍ୟପାଳଙ୍କ ୯୨ ବର୍ଷୀୟା ବୃଦ୍ଧା ମା’ ମଧ୍ୟ ତାଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ଚାଲିବାରେ ଅସମର୍ଥ ଥିବାରୁ ପରିବାର ଲୋକେ ତାଙ୍କୁ କାନ୍ଧରେ ବୋହି ଶ୍ରୀମନ୍ଦିର ଭିତରକୁ ନେଇଥିଲେ।
ଅରୁଣ ସ୍ତମ୍ଭ ନିକଟରେ ପ୍ରଣାମ କରିବା ପରେ ରାଜ୍ୟପାଳ ସପତ୍ନୀକ ଶ୍ରୀମନ୍ଦିର ଗର୍ଭଗୃହକୁ ଯାଇ ରତ୍ନସିଂହାସନସ୍ଥ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିବା ସହ ମା’ ମହାଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ, ଶ୍ରୀମନ୍ଦିର ନୀତି ଓ ସୁରକ୍ଷା ପ୍ରଶାସକ ଏବଂ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।
ଦର୍ଶନ ସାରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବନିଯୁକ୍ତ ରାଜ୍ୟପାଳ କହିଛନ୍ତି ଯେ, “ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ମୋ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଶପଥ ଗ୍ରହଣ କରିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବାର ଇଚ୍ଛା ଥିଲା, ଯାହା ଆଜି ସଫଳ ହୋଇଛି। ଆସନ୍ତାକାଲି ଶପଥ ଗ୍ରହଣ ପରେ କାର୍ଯ୍ୟଭାର ସମ୍ଭାଳିବି। ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ପ୍ରଗତି ପାଇଁ ସମସ୍ତଙ୍କ ସହ ମିଶି କାର୍ଯ୍ୟ କରିବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି।”
