EducationFeaturedLatestNews

ଓଡ଼ିଶାରେ ନୂଆ ଶିକ୍ଷା ବ୍ୟବସ୍ଥା: ଗୋଟିଏ ବୋର୍ଡରେ ହେବ ଦଶମ ଓ ଦ୍ଵାଦଶ ପରୀକ୍ଷା

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ରାଜ୍ୟ ସରକାର ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ଗୋଟିଏ ଏକକ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଗକୁ ମାଧ୍ୟମିକ ଶିକ୍ଷା ପରିଷଦ (BSE) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଅଲଗା ଅଲଗା ରହିବ ନାହିଁ। CBSE ଢାଞ୍ଚାରେ ଗୋଟିଏ ବୋର୍ଡ ଉଭୟ ଦଶମ ଓ ଦ୍ଵାଦଶ ପରୀକ୍ଷା ପରିଚାଳନା କରିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ଡାକ୍ତର ଏନ୍. ତିରୁମାଲା ନାୟକ ସୂଚନା ଦେଇଛନ୍ତି।

ଚତୁର୍ଚ୍ଚତ୍ୱାରିଂଶ (୪୪) ତମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠା ଦିବସ ଅବସରରେ ସଚିବ ଶ୍ରୀ ନାୟକ ଏହି ଘୋଷଣା କରିଛନ୍ତି। ବୋର୍ଡ ମିଶ୍ରଣ ପାଇଁ ଆଇନର ଚିଠା ପ୍ରସ୍ତୁତି ଜାରି ରହିଛି। ଚିଠା ଆଇନ କାର୍ଯ୍ୟକାରୀ ହେବା ପରେ ନୂଆ ବୋର୍ଡ ଗଠନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆଗକୁ ବଢ଼ିବ। CHSE ଏବଂ ସିଲାବସ କମିଟିକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସଚିବ ଶ୍ରୀ ନାୟକ ଆହୁରି କହିଛନ୍ତି ଯେ, ୧୮ ବର୍ଷ ପର୍ଯ୍ୟନ୍ତ ମୁକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମାଗଣା ଶିକ୍ଷା ପାଇବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଅଯଥା ଖର୍ଚ୍ଚ କରୁଥିବା ଅଭିଭାବକମାନଙ୍କୁ ରାହାତି ଦେବାକୁ ମାଗଣା ଡିଜିଟାଲ ଶିକ୍ଷା ବ୍ୟବସ୍ଥା ଆଣିବାକୁ CHSEକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ CHSEକୁ ୧୦ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।

ନୂଆ ନିଷ୍ପତ୍ତି ଅନୁଯାୟୀ, ଯୁକ୍ତ ଦୁଇ (୧୧ମ ଓ ୧୨ମ) ବାଣିଜ୍ୟ ଓ ବିଜ୍ଞାନ ବିଷୟ ଓଡ଼ିଆ ଭାଷାରେ ପଢ଼ାଯିବ। ଛାତ୍ରଛାତ୍ରୀମାନେ ଏଣିକି ଓଡ଼ିଆରେ ଏହି ବିଷୟଗୁଡ଼ିକୁ ଅଧ୍ୟୟନ କରିପାରିବେ। ନୂତନ କାର୍ଯ୍ୟାଳୟ ସମ୍ପର୍କରେ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି ସଚିବ ଶ୍ରୀ ନାୟକ ସୂଚନା ଦେଇଛନ୍ତି।