CrimeFeaturedLatestNews

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଅଟକ

ବାରିପଦା (ସଂକେତ ଟିଭି) : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅଞ୍ଚଳରେ ଏକ ହତ୍ୟା ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ୱାମୀ ବିରୋଧରେ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମହୁଲଡିହା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଚଳାଇଛି।

ସୂଚନାରୁ ଜଣାପଡିଛି ଯେ, ଗତ ୧୪ ତାରିଖ ରାତି ପ୍ରାୟ ୮.୩୦ ସମୟରେ ମହୁଲଡିହା ଥାନାରେ ଅଭିଯୋଗକାରୀ ଶମ୍ଭୁ ବିନ୍ଧାଣୀ (୩୫), ପିତା- କୃଷ୍ଣ ବିନ୍ଧାଣୀ, ଗ୍ରାମ- ଖୁକୁନ୍ଦ, ଥାନା- ମହୁଲଡିହାଙ୍କ ଦ୍ୱାରା ଏକ ହତ୍ୟା ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁଯାୟୀ, ତାଙ୍କ ବଡ଼ ଭଉଣୀ ପାନମଣି ବିନ୍ଧାଣୀ (୪୨) ପ୍ରାୟ ୫ ବର୍ଷ ପୂର୍ବେ ବୁଧିଆ ବିନ୍ଧାଣୀ (୪୬), ପିତା- ସ୍ୱର୍ଗତ ଜଗନ୍ନାଥ ବିନ୍ଧାଣୀ, ଗ୍ରାମ- କରଡ଼ାପାଳ, ଡାଳପକାସାହି, ଥାନା- ମହୁଲଡିହାଙ୍କୁ ବିବାହ କରିଥିଲେ। ବୁଧିଆଙ୍କର ଏହା ଦ୍ୱିତୀୟ ବିବାହ ଥିଲା। ବିବାହ ପରେ ପାନମଣି ସ୍ୱାମୀଙ୍କ ସହ ଶାନ୍ତିପୂର୍ଣ୍ଣ ଦାମ୍ପତ୍ୟ ଜୀବନଯାପନ କରୁଥିଲେ। ତେବେ ଗତ ପ୍ରାୟ ୩ ବର୍ଷ ହେବ ବୁଧିଆ ତାଙ୍କୁ ବିଭିନ୍ନ ସମୟରେ ମାରପିଟ କରି ଆସୁଥିଲେ। ଏକ ଘଟଣାରେ ମାଡ଼ ମାରିବା ଫଳରେ ତାଙ୍କର ଗୋଟିଏ ଦାନ୍ତ ମଧ୍ୟ ଖସିଯାଇଥିଲା। ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ମଧ୍ୟରେ ଘରେ ବସି ଆପୋଷ ସମାଧାନ ହୋଇଥିଲା।

ଗତ ୧୪ ତାରିଖ ସକାଳ ପ୍ରାୟ ୯ ଟା ସମୟରେ ଅଭିଯୋଗକାରୀ ତାଙ୍କ ଭଉଣୀଙ୍କ ଜଣେ ନିକଟ ପଡ଼ୋଶୀଙ୍କ ଠାରୁ ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇଥିଲେ। ସୂଚନା ପାଇ ସେ ତୁରନ୍ତ ଭଉଣୀଙ୍କ ଘରକୁ ଯାଇ ତାଙ୍କୁ ମୃତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଏକାଧିକ ଆଘାତ ଚିହ୍ନ ଥିବା ଦେଖିଥିଲେ। ସ୍ୱାମୀ ବୁଧିଆ ବିନ୍ଧାଣୀ ହିଁ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରି ସେ ଥାନାରେ ରିପୋର୍ଟ କରିଥିଲେ।

ଏହି ଅଭିଯୋଗ ଆଧାରରେ ଆଇଆଇସି, ମହୁଲଡିହା ଥାନା କେସ୍ ନଂ- ୧୩୨, ଧାରା- ୮୦/୮୫/୧୦୩(୧) BNS ଅନୁଯାୟୀ ମାମଲା ପଞ୍ଜୀକୃତ କରିଛନ୍ତି। ଅଭିଯୁକ୍ତ ସ୍ୱାମୀ ବୁଧିଆ ବିନ୍ଧାଣୀ (୪୬)ଙ୍କୁ ଯାଞ୍ଚ ଓ ପରବର୍ତ୍ତୀ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମହୁଲଡିହା ଥାନାରେ ଅଟକ ରଖାଯାଇଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।