ଟାଇଗର ଶ୍ରଫ ଗୁଳିକାଣ୍ଡରେ ଜଣେ ନାବାଳକ ସହ ୩ ସନ୍ଦିଗ୍ଧ ଗିରଫ
ମୁମ୍ବାଇ(ସଂକେତ ଟିଭି): ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣ କରିଥିବା ୩ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରାଜସ୍ଥାନର କୋଟା ଓ ମହାରାଷ୍ଟ୍ର-ଗୁଜୁରାଟ ସୀମାରୁ ସେମାନଙ୍କୁ ପୋଲିସ ଧରିଛି। ତିନି ଜଣ କୋଟା ରେଲଓ୍ୱେ କଲୋନୀ ଥାନା ନିକଟରେ ଧରା ପଡ଼ିଛନ୍ତି। ଅନ୍ୟ ଜଣଙ୍କୁ ମହାରାଷ୍ଟ୍ରରୁ ଗିରଫ କରାଯାଇଛି। ତେବେ କୋଟା ସହର ପୋଲିସ ଗିରଫଦାରୀ ବାବଦରେ କିଛି ସ୍ପଷ୍ଟ କରିନାହିଁ।
କୁହାଯାଉଛି ଯେ, ଅଭିଯୁକ୍ତମାନେ ଗୁଳିକାଣ୍ଡ ପରେ ଟ୍ରେନରେ ରାଜସ୍ଥାନ ଚାଲି ଯାଇଥିଲେ। ପୁଣେ-ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନରେ ସେମାନେ ଥିବା ନେଇ ସୂଚନା ମିଳିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିହାରର ରିତିକ୍ କୁମାର ବୋଲି ଜଣା ପଡ଼ିଛି। ଏତତ୍ ବ୍ୟତୀତ, ଅନ୍ୟ ଦୁଇ ଜଣ ଅଭିଯୁକ୍ତ ହରିୟାଣାର ଫୁଲ୍ ସିଂ ଓ ରେହାନ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ଟାଇଗର ଶ୍ରଫ୍ ରବିବାର ସନ୍ଧ୍ୟାରେ ମୁମ୍ବାଇର ଏକ ଫୁଟବଲ୍ ଗ୍ରାଉଣ୍ଡରୁ ନିଜ କାରରେ ଘରକୁ ଫେରୁଥିଲେ। ସେହି ସମୟରେ ବାଇକରେ ଆସିଥିବା ତିନି ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ତାଙ୍କ କାରକୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ। ଗୁଳିମାଡ଼ରେ କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭରଙ୍କ ଶରୀରରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି।
ଏହି ଆକ୍ରମଣ ପରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଥିଲା। ଏଥିରେ ଜଣେ ବ୍ୟକ୍ତି ନିଜକୁ ‘ଅନିଲ ପଣ୍ଡିତ’ ବୋଲି ପରିଚୟ ଦେଇଛି ଏବଂ ସେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରିଥିଲେ। ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ରାଜସ୍ଥାନର କୋଟାରେ ଧରାପଡ଼ିଥିବା ସନ୍ଦିଗ୍ଧମାନେ ଦିଲ୍ଲୀ ଦେଇ ନେପାଳ ଖସିଯିବାକୁ ଯୋଜନା କରିଥିବା ପ୍ରାଥମିକ ପଚରାଉଚରାରୁ ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି କୋଟା ଏସପି ତେଜସ୍ୱିନୀ ଗୌତମ।
ଏସପିଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୯ଟା ୪୫ ମିନିଟରେ ପୁଣେ–ଜୟପୁର ଏକ୍ସପ୍ରେସରେ ସନ୍ଦିଗ୍ଧମାନେ ଯାତ୍ରା କରୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ତୁରନ୍ତ ଆକ୍ସନ୍ ମୋଡକୁ ଆସିଥିଲା କୋଟା ପୋଲିସ। ରେଳ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ପଥ, ପ୍ଲାଟଫର୍ମ ସମେତ ବିଭିନ୍ନ ସ୍ଥାନରେ ପୋଲିସ ନଜର ରଖିଥିଲା। ଏହି ଅପରେସନରେ ତିନିଜଣ ସନ୍ଦିଗ୍ଧଙ୍କୁ ଧରାଯାଇଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଧରାପଡ଼ିଥିବା ଜଣେ ଅଭିଯୁକ୍ତ ରାପିଡୋ ବାଇକ୍ ଟ୍ୟାକ୍ସି ଚାଳକ ଭାବେ କାମ କରନ୍ତି। ଅନ୍ୟ ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳକ ଏବଂ ଅନ୍ୟଜଣେ ରେହାନ।
ସନ୍ଦିଗ୍ଧମାନେ ଟ୍ରେନରେ ଦିଲ୍ଲୀ ପହଞ୍ଚିବା ପରେ ସେଠାରୁ ନେପାଳ ଖସିଯିବାକୁ ଯୋଜନା କରିଥିଲେ। ତେବେ ସେମାନଙ୍କୁ ଏହି ଯୋଜନା ପାଇଁ କିଏ ସହାୟତା କରୁଥିଲା ଏବଂ ନେପାଳରେ କାହା ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ, ତାହା ଏବେ ତଦନ୍ତ ଚାଲିଛି। ଏହାସହ ରେହାନଙ୍କର ପୂର୍ବରୁ ଅନିଲ ପଣ୍ଡିତ ନାମକ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ ରହିଥିବା ଏସପି ସୂଚନା ଦେଇଛନ୍ତି।
ଅନ୍ୟପଟେ ମୁମ୍ବାଇ ପୋଲିସର ଟିମ୍ କୋଟାରେ ପହଞ୍ଚିଥିବା ବେଳେ ସନ୍ଦିଗ୍ଧମାନଙ୍କୁ ସେମାନଙ୍କ ହେପାଜତକୁ ହସ୍ତାନ୍ତର କରାଯିବ ବୋଲି ଏସପି କହିଛନ୍ତି। ମୁମ୍ବାଇ ପୋଲିସର ବିସ୍ତୃତ ପଚରାଉଚରା ପରେ ଗୁଳିମାଡ଼ ପଛର ଷଡ଼ଯନ୍ତ୍ର, ଅପରାଧୀଙ୍କ ନେଟୱର୍କ ଏବଂ ମାଷ୍ଟରମାଇଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ। ତେବେ ଘଟଣାର କିଛି ସମୟ ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ଗ୍ୟାଙ୍ଗରେ ସାମିଲ ଥିବା ଅନୀଲ ପଣ୍ଡିତ ଏବଂ ହରମନ ସନ୍ଧୁ ଆକ୍ରମଣରେ ନିଜକୁ ଦାୟୀ କରିଛନ୍ତି।
