ବିଜୟା ଦଶମୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଗୋବିନ୍ଦା
ପୁରୀ (ସଂକେତ ଟିଭି): ବଲିଉଡ୍ ଷ୍ଟାର ଗୋବିନ୍ଦା ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପବିତ୍ର ଦଶହରା ତଥା ବିଜୟା ଦଶମୀ ଅବସରରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବା ପରେ ସେ ଭାବ ବିଭୋର ହୋଇପଡିଛନ୍ତି। ଅତି ନିକଟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସେ ବିମୁଗ୍ଧ ହୋଇଯାଇଥିଲେ। ଏଥିସହ ମା’ ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ।
ଦର୍ଶନ ସାରି ଫେରିବା ପରେ ଗୋବିନ୍ଦା କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ କରିବା ମୋ ପାଇଁ ବଡ଼ ଭାଗ୍ୟ। ପବିତ୍ର ବିଜୟା ଦଶମୀରେ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ। ସାରା ଦେଶବାସୀଙ୍କ ମଙ୍ଗଳ କାମନା ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି। ଜୀବନରେ ଯେତେବେଳେ କୌଣସି ପରିସ୍ଥିତି ଆସିଲେ ଜଗନ୍ନାଥଙ୍କ କୃପାରୁ ତାହା ସାମ୍ନା କରିବାକୁ ଶକ୍ତି ମିଳେ।
