ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଫାଣ୍ଡି ଅଧିକାରୀ ନିଲମ୍ବିତ, ଜଳେଶ୍ବର ଆଇଆଇସିଙ୍କ ବଦଳି
ବାଲେଶ୍ବର (ସଂକେତ ଟିଭି): ଅଭିଯୁକ୍ତ ବିରୋଧରେ ତଦନ୍ତ ନ କରି ଫାଣ୍ଡି ଅଧିକାରୀ ଓ ଜଳେଶ୍ୱର ଆଇଆଇସିଙ୍କୁ ଛାଡ଼ିଦେବା ଘଟଣାରେ ଆକ୍ସନ ନିଆଯାଇଛି। ଦାୟିତ୍ୱହୀନତା ପାଇଁ ଉଭୟଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ।
ଗତ ୧୬ ତାରିଖ ଦିନ ଜଳେଶ୍ୱର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ନେଇ ପରିବାର ପକ୍ଷରୁ ନାମ୍ପୋ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଅଭିଯୁକ୍ତକୁ ଧରି ପରିବାର ଲୋକେ ଥାନାରେ ଜିମା ଦେଇଥିଲେ। ପରେ ନାମ୍ପୋ ଫାଣ୍ଡି ଅଧିକାରୀ ତଦନ୍ତ ନକରି ଅଭିଯୁକ୍ତକୁ ଛାଡ଼ି ଦେଇଥିଲେ।
ଗତ ଗୁରୁବାର ବର୍ତ୍ତନା ପଞ୍ଚାୟତ ଘେରାପଦା ସ୍ଥିତ ଏକ ଧାନ ବିଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହେବା ସହ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିଲା। ପରେ ନାମ୍ପୋ ଫାଣ୍ଡି ଅଧିକାରୀ କରଣ ମାରାଣ୍ଡି ଓ ଜଳେଶ୍ୱର ଆଇଆଇସି ଅଶୋକ ବାରିକଙ୍କ ଦାୟିତ୍ୱହୀନତା ଦର୍ଶାଇ ବାଲେଶ୍ୱର ଏସ୍ପି ପ୍ରତ୍ୟୁଷ ଦିବାକର ଆକ୍ସନ ନେଇଛନ୍ତି। ନାମ୍ପୋ ଫାଣ୍ଡି ଅଧିକାରୀ କରଣ ମାରାଣ୍ଡିଙ୍କୁ ଚାକିରିରୁ ସସ୍ପେଣ୍ଡ କରିବା ସହ ଜଳେଶ୍ୱର ଆଇଆଇସି ଅଶୋକ ବାରିକଙ୍କୁ ବାଲେଶ୍ୱର ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଜଳେଶ୍ୱର ଥାନାର ନୂଆ ଆଇଆଇସି ଭାବେ ମୁକୁନ୍ଦ ମୁରାରି ପାତ୍ରଙ୍କୁ ନିୟୋଜିତ କରାଯାଇଛି।
ଏହି ମାମଲାକୁ ନେଇ ରାଜନୀତି ତେଜିଛି। ବିଜେଡି ଓ କଂଗ୍ରେସର ଟିମ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତ ନାବାଳିକାଙ୍କ ପରିବାରକୁ ଭେଟିଛନ୍ତି। ସେପଟେ କଂଗ୍ରେସ ପକ୍ଷରୁ ଜଳେଶ୍ୱର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଏସ୍ପି ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି।
ଘଟଣାର ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନା (୨୨) ସୁଲତାନପୁର ଗାଁର ବୋଲି ଜଣାପଡ଼ିଛି। ସେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଅଭିଯୁକ୍ତଙ୍କ ବିରୋଧରେ ଉଚିତ ପଦକ୍ଷେପ ନିଆଯାଇ ନଥିଲା। ଏହାକୁ ନେଇ ଜଳେଶ୍ୱର ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିବା ସହ ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା କରିଥିଲେ। ସୂଚନା ଅନୁସାରେ, ଗ୍ରାମବାସୀ ଅଭିଯୁକ୍ତକୁ ଧରି ପୁଲିସ ଜିମା ଦେଇଥିଲେ। କିନ୍ତୁ ନାମ୍ପୋ ଫାଣ୍ଡି ଅଧିକାରୀ ତାଙ୍କୁ ପଚରାଉଚରା କରିବା ପରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ପରେ ଗ୍ରାମବାସୀଙ୍କ ଚାପ ଓ ପଚରାଉଚରା ପରେ ଅଭିଯୁକ୍ତ ସତ ମାନିଥିବା ଦାବି କରାଯାଇଛି। ଏହି ଘଟଣାକୁ ନେଇ ପୁଲିସର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠିଥିବା ବେଳେ ଫାଣ୍ଡି ଅଧିକାରୀଙ୍କ ବଦଳିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
ବାଲେଶ୍ୱର ଏସ୍ପି ପ୍ରତ୍ୟୁଷ ଦିବାକର କହିଛନ୍ତି, “୧୬ ଅକ୍ଟୋବରରେ ଆମକୁ ସୂଚନା ମିଳିଥିଲା ଯେ ଜଣେ ନାବାଳିକା ନିଖୋଜ ଥିଲେ ଏବଂ ସନ୍ଦେହାସ୍ପଦ ବ୍ୟକ୍ତିକୁ ପୁଲିସ ଧରି ଆଣିଥିଲା। କିଛି ଦିନ ଧରି ଲଗାତାର ପଚରାଉଚରା ପରେ ଆମେ ଜାଣିବାକୁ ପାଇଲୁ ଯେ ସେହି ୧୬ ତାରିଖରେ ସେ ନାବାଳିକାକୁ ନେଇଯାଇ ତାଙ୍କ ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିଥିଲା। ନାବାଳିକା ବିରୋଧ କରିବା ଏବଂ ସେ ତାଙ୍କୁ ଭଲ ପାଉନାହିଁ ବୋଲି କହିବା ପରେ ହଠାତ୍ କ୍ରୋଧରେ ସେ ତାଙ୍କୁ ଗଳା ଚିପି ହତ୍ୟା କରିଥିଲା। ଗତକାଲି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ପରେ ତଦନ୍ତ ଜଣେ ଡିଏସପି ସ୍ତରୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଆମର ଲକ୍ଷ୍ୟ ହେଉଛି ଅଭିଯୁକ୍ତର ଦଣ୍ଡାଦେଶ, ତେଣୁ ଆମେ ଯଥାଶୀଘ୍ର ଚାର୍ଜସିଟ ଦାଖଲ କରି ଶୀଘ୍ର ବିଚାର କରିବାକୁ ଚେଷ୍ଟା କରୁଛୁ। ଏପର୍ଯ୍ୟନ୍ତ ତଦନ୍ତରୁ ଜଣେ ମାତ୍ର ଅଭିଯୁକ୍ତ ଥିବା ଜଣାପଡ଼ିଛି। ଅନ୍ୟ କାହାର ସମ୍ପୃକ୍ତି ଏପର୍ଯ୍ୟନ୍ତ ସାମନା କୁ ଆସିନାହିଁ। କିନ୍ତୁ ତଦନ୍ତ ଜାରି ରହିଛି। ପ୍ରଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ନିଖୋଜ ମାମଲାର ତଦନ୍ତକାରୀ ଅଧିକାରୀ ଥିବା ଆମର ନାମ୍ପୋ ପୋଲିସ ଫାଣ୍ଡି ଅଧିକାରୀଙ୍କ ପକ୍ଷରୁ କିଛି ଅବହେଳା ଘଟିଥିଲା, ତେଣୁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ସହିତ ଜଳେଶ୍ୱର ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହି ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜଣେ ବରିଷ୍ଠ ଅଧିକାରୀ ଏହାର ଅନୁସରଣ କରିବେ।”
