FeaturedLatestNews

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଲକ୍ଷ୍ୟ ଜିରୋ କାଜୁଆଲିଟି

ଭୁବନେଶ୍ୱର (ସଂକେତ ଟିଭି): ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ବାତ୍ୟା ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସରକାରଙ୍କ ପ୍ରଥମ ଲକ୍ଷ୍ୟ ହେଲା ଜିରୋ କାଜୁଆଲିଟି। ଦ୍ୱିତୀୟ ଲକ୍ଷ୍ୟ ହେଲେ ପୁନରୁଦ୍ଧାର ଓ ମରାମତି। ଏଥିପାଇଁ NDRF, ODRAF ଏବଂ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି।

ଆସନ୍ତା ୨୮ ଓ ୨୯ ତାରିଖରେ ବିଶେଷ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନେ ଏନେଇ ନିଷ୍ପତ୍ତି ନେଇପାରିବେ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ। କୋରାପୁଟ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଭଳି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ।

ସେପଟେ, ସମ୍ଭାବ୍ୟ ବାତ୍ୟା ପାଇଁ କୃଷି ଭବନରେ ସମୀକ୍ଷା ବୈଠକ ବସିଥିଲା। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ସାଇକ୍ଲୋନିକ ଷ୍ଟର୍ମକୁ ଦୃଷ୍ଟିରେ ରଖି କୃଷି ବିଭାଗ କ’ଣ ପଦକ୍ଷେପ ନେବ ସେ ନେଇ ବୈଠକରେ ଚର୍ଚ୍ଚା ଆଲୋଚନା ହୋଇଛି। କୃଷି ବିଭାଗ ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ କହିଛନ୍ତି, କୃଷି ବିଭାଗର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଚାଷୀଙ୍କ ପାଇଁ କୃଷି ବିଭାଗ ଆଡଭାଇଜରି ଜାରି କରିଛି। ଧାନ ପାଚିଥିଲେ ଅମଳ କରି ଘୋଡ଼େଇ ରଖିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଚି ନଥିଲେ ଅମଳ ନକରିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା କୃଷି ଅଧିକାରୀ ଜିଲ୍ଲାପାଳଙ୍କ ସହ ସମନ୍ୱୟ ରକ୍ଷା କରି ବିଭାଗ ସହ ଯୋଗାଯୋଗରେ ରହିବେ। କଣ୍ଟ୍ରୋଲ ରୁମରେ ଉପମୁଖ୍ୟମନ୍ତ୍ରୀ ଓ କୃଷି ସଚିବ ରହିବେ। ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସେପଟେ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ରାଜେଶ ପ୍ରଭାକର ପାଟିଲ ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଶୁକ୍ରବାର ପୃଥକ ଭାବେ ୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୋଟିଏରେ ଆସନ୍ତା ଶନିବାର ଓ ରବିବାର ରାଜ୍ୟ ମୁଖ୍ୟାଳୟ ଛାଡ଼ି କୌଣସି ଅଧିକାରୀ ନଯିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିବାବେଳେ ଅନ୍ୟଟିରେ ଜରୁରିକାଳୀନ ପଦକ୍ଷେପ କ’ଣ ସବୁ ନେଇଛନ୍ତି ତାହା ଜଣାଇବାକୁ ସମ୍ପୃକ୍ତ ବିଭାଗକୁ ଅବଗତ କରାଇଛନ୍ତି।

ପାଟିଲ କହିଛନ୍ତି, ଆସନ୍ତାକାଲିଠାରୁ ରାଜ୍ୟ ଜରୁରିକାଳୀନ ମୁକାବିଲା କେନ୍ଦ୍ର ଏସଆରସି କାର୍ଯ୍ୟାଳୟରେ ଖୋଲିବ। ଏହି ସମୟରେ ସମ୍ପୃକ୍ତ ବିଭାଗର କୌଣସି ଅଧିକାରୀ ରାଜ୍ୟ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ, ସମସ୍ତଙ୍କୁ ଉପସ୍ଥିତ ରହିବାକୁ ପଡ଼ିବ। ସେହିପରି ରାଜ୍ୟର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନଙ୍କୁ ଏନେଇ ଜରୁରୀ ପଦକ୍ଷେପ ନେବାକୁ ଏସଆରସି ଅବଗତ କରିଛନ୍ତି।

ସେ ଦର୍ଶାଇଛନ୍ତି, ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ, ତୀବ୍ରତା ଓ ସ୍ଥଳଭାଗ ଛୁଇଁବାର ସ୍ଥାନ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମାତ୍ର ୨୬ ଅକ୍ଟୋବରରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା, ଜୋର ପବନ ଏବଂ ଯୋଗାଯୋଗ ଓ ଜନଜୀବନରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଜଳଯୋଗାଣ ଓ ଜରୁରୀ ସେବା ସ୍ୱାଭାବିକ ରଖିବାକୁ ହେବ। ସେହିପରି ତଳିଆ ସହରାଞ୍ଚଳରେ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ମହଜୁଦ ରଖିବା ସହ ଜଳବନ୍ଦୀ ହେବାର ଆଶଙ୍କା ଥିବା ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ପ୍ରସ୍ତୁତି କରିବା, ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ସମେତ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଏଦିଗରେ ପ୍ରସ୍ତୁତ ରହିବାକୁ ଏସଆରସି କହିଛନ୍ତି।

ବିଦ୍ୟୁତ ଓ ରାସ୍ତା ମରାମତି ବିଭାଗକୁ ଜରୁରିକାଳୀନ ମରାମତି ଦଳ, ଭାରି ଯନ୍ତ୍ରପାତି ଏବଂ ଆବଶ୍ୟକ ସାମଗ୍ରୀକୁ ପ୍ରମୁଖ ସ୍ଥାନରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି। ଅତ୍ୟାବଶ୍ୟକ ଔଷଧ, ଓଆରଏସ, ହାଲୋଜିନ ବଟିକା, ସାପ କାମୁଡ଼ା ପ୍ରତିରୋଧକ ଔଷଧ, ବ୍ଲିଚିଂ ପାଉଡର ଓ ଶୁଖିଲା ଖାଦ୍ୟ ସାମଗ୍ରୀ ଆବଶ୍ୟକ ପରିମାଣରେ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି। ଏହାସହିତ ଜଳସମ୍ପଦ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବାଣିଜ୍ୟ ଓ ପରିବହନ, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ପଞ୍ଚାୟତିରାଜ ବିଭାଗକୁ ପ୍ରସ୍ତୁତ ରହିବାକୁ ଏସଆରସି କହିଛନ୍ତି। ସମସ୍ତ ସମ୍ପୃକ୍ତ ବିଭାଗ ନିଜ ନିଜ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ନିୟମିତ ଭାବେ ଅବଗତ କରାଇବାକୁ ପତ୍ରରେ ଏସଆରସି ଅବଗତ କରାଇଛନ୍ତି।

Leave a Reply

Your email address will not be published. Required fields are marked *