ଭୁବନେଶ୍ୱରରେ ୯୧.୯୦ ଲକ୍ଷ ଟଙ୍କା ସାଇବର ଠକେଇ: ମୁଖ୍ୟ ଏଜେଣ୍ଟ ଗିରଫ
ଭୁବନେଶ୍ୱର (ସଂକେତ ଟିଭି): ଘର ଭଦ୍ରକ, ହେଲେ ଲିଙ୍କ୍ ଚାଇନାରେ। ୯୨ ଲକ୍ଷ ଟଙ୍କାର ସାଇବର ଠକେଇ ମାମଲାରେ ମୁଖ୍ୟ ଏଜେଣ୍ଟ ଗିରଫ ହୋଇଛି। ଚାଇନିଜ୍ ସାଇବର ଠକମାନଙ୍କୁ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯୋଗାଉଥିବା ଅଭିଯୁକ୍ତକୁ ସାଇବର କ୍ରାଇମ୍ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳର ପ୍ରୀତମ ନାୟକ ଓରଫ ବବୁଲୁ।
ଫେସବୁକ୍ ଓ ହ୍ୱାଟ୍ସଆପ୍ରେ ଡବଲ୍ ରିଟର୍ଣ୍ଣର ଲୋଭ ଦେଖାଇ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କଠାରୁ ୯୧ ଲକ୍ଷ ୯୦ ହଜାର ଟଙ୍କା ଠକେଇ ହୋଇଥିଲା। ତଦନ୍ତ ବେଳେ ଭଦ୍ରକରୁ ପରିଚାଳିତ ଏକ ବଡ଼ ମ୍ୟୁଲ୍ ଆକାଉଣ୍ଟ ନେଟୱାର୍କର ପର୍ଦ୍ଦାଫାଶ କରିଛି ସାଇବର କ୍ରାଇମ୍ ପୋଲିସ।
ସାଧାରଣ ଲୋକଙ୍କୁ କମିଶନ୍ ଦେବାର ଲୋଭ ଦେଖାଇ ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଉଥିଲା। ପରେ ଏହି ଆକାଉଣ୍ଟଗୁଡ଼ିକୁ ବିଦେଶୀ ସାଇବର ଠକମାନଙ୍କୁ ଯୋଗାଇ ଦିଆଯାଉଥିଲା। ଅଭିଯୁକ୍ତ ଟେଲିଗ୍ରାମ୍ରେ ଚାଇନିଜ୍ ଅପରେଟରମାନଙ୍କ ସହ ଯୋଗାଯୋଗରେ ରହି ଆକାଉଣ୍ଟ ଯୋଗାଉଥିଲା ଏବଂ କମିଶନ୍ ବାବଦକୁ କ୍ରିପ୍ଟୋକରେନ୍ସି ନେଉଥିଲା।
ପୂର୍ବରୁ ଏହି ମାମଲାରେ ୪ ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଏଜେଣ୍ଟଠାରୁ ୩ଟି ମୋବାଇଲ୍, ଗୋଟିଏ ଲାପଟପ୍ ଓ ବିଦେଶୀମାନଙ୍କ ସହ ଚାଟ୍ ସମେତ ବିଭିନ୍ନ ଡିଜିଟାଲ୍ ପ୍ରମାଣ ଜବତ କରିଛି ପୋଲିସ। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନେଟୱାର୍କର ଅନ୍ୟ ସଦସ୍ୟ ଓ ସମ୍ପତ୍ତି କାରବାରକୁ ନେଇ ତଦନ୍ତ ଜାରି ରହିଛି।
