ଓସିଏସ୍ ପରୀକ୍ଷାରୁ ୬ଟି ସୁଯୋଗ କଟକଣା ହଟାଇଲେ ସରକାର
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ଓସିଏସ୍ ପରୀକ୍ଷାରେ ସର୍ବାଧିକ ୬ଟି ସୁଯୋଗର କଟକଣାକୁ ରାଜ୍ୟ ସରକାର ହଟାଇଛନ୍ତି। ଏଣିକି ପ୍ରାର୍ଥୀମାନେ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ଓସିଏସ୍ ପରୀକ୍ଷା ଦେବାର ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ୮୦ତମ ସ୍ବାଧୀନତା ଦିବସ ଅବସରରେ ଏହି ଐତିହାସିକ ଘୋଷଣା କରିଛନ୍ତି।
ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓସିଏସ୍ ପରୀକ୍ଷା ପାଇଁ ଥିବା ସର୍ବାଧିକ ୬ ଥର ପରୀକ୍ଷା ଦେବାର ନିୟମକୁ ସମ୍ପୂର୍ଣ୍ଣ ହଟାଯିବ। ଫଳରେ ଯୋଗ୍ୟ ପ୍ରାର୍ଥୀମାନେ ନିର୍ଦ୍ଧାରିତ ବୟସସୀମା ମଧ୍ୟରେ ରହିଥିଲେ ଆଉ କୌଣସି ପ୍ରତିବନ୍ଧକ ବିନା ଅଧିକ ଥର ପରୀକ୍ଷା ଦେଇପାରିବେ।
ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାକିରି ପାଇଁ ସର୍ବାଧିକ ବୟସସୀମାକୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ବୟସସୀମା ନିକଟରେ ପହଞ୍ଚିଥିବା ଅନେକ ଚାକିରି ଆଶାୟୀଙ୍କୁ ନୂଆ ସୁଯୋଗ ମିଳିବ। ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ଥିବା କିଛି କଟଣାକୁ ମଧ୍ୟ କୋହଳ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରୀକ୍ଷା ଦୁର୍ନୀତି ଓ ଅନିୟମିତତାକୁ ନେଇ କଠୋର ଚେତାବନୀ ଦେଇଛନ୍ତି। ସେ ପରୀକ୍ଷା ମାଫିଆ ଏବଂ ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ପରୀକ୍ଷା ପରିଚାଳନାରେ ସାମାନ୍ୟ ତ୍ରୁଟି କିମ୍ବା ବିଚ୍ୟୁତି ହେଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ପ୍ରତ୍ୟେକ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଓ ଦୁର୍ନୀତିମୁକ୍ତ ପରୀକ୍ଷା ପରିବେଶ ଦେବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରୀକ୍ଷାରେ କୌଣସି ପ୍ରକାର ଦୁର୍ନୀତି ଓ ଅନିୟମିତତାକୁ ଅକ୍ଷମଣୀୟ ଅପରାଧ ଭାବେ ଗ୍ରହଣ କରାଯିବ ଏବଂ ଏଥିରେ ଜଡ଼ିତ କେହି ଛାଡ଼ ପାଇବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
