FeaturedLatestNews

ରାଜ୍ୟରେ ବଢ଼ିବ ଡପଲର୍ ରାଡାର ସଂଖ୍ୟା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପାଣିପାଗ ପୂର୍ବାନୁମାନକୁ ଅଧିକ ସଠିକ୍ ଓ ତ୍ୱରିତ କରିବା ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ରାଜ୍ୟରେ ଡପଲର୍ ରାଡାର ସଂଖ୍ୟା ବୃଦ୍ଧି କରାଯିବ। ପାଣିପାଗ ସୂଚନା ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ଗୋପାଳପୁର ଏବଂ ପାରାଦୀପ ସ୍ଥିତ ଡପଲର୍ ରାଡାରଗୁଡ଼ିକ ମରାମତି କାର୍ଯ୍ୟ ଯୋଗୁଁ କାର୍ଯ୍ୟକ୍ଷମ ନଥିବା ବେଳେ ସମ୍ବଲପୁର ରାଡାରରୁ ବାରମ୍ବାର ଅପଡେଟ୍ ମିଳୁନାହିଁ। ଏହି ପ୍ରସଙ୍ଗ ନ୍ୟୁଜ୍ ସେଭେନ୍ ଡିଜିଟାଲରେ ପ୍ରସାରଣ ପାଇବା ପରେ ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଏହି ପ୍ରସଙ୍ଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ମାତ୍ର ୨ଟି ଡପଲର୍ ରାଡାର କାର୍ଯ୍ୟକ୍ଷମ ଅଛି। ଆଗାମୀ ଦିନରେ ଆଉ ୩ଟି ନୂତନ ଡପଲର୍ ରାଡାର ସ୍ଥାପନ କରାଯିବ। ବାଲେଶ୍ୱରରେ ଗୋଟିଏ ରାଡାର ନିର୍ମାଣ କାର୍ଯ୍ୟ ଚାଲିଛି, ଯାହା କିଛି ମାସ ମଧ୍ୟରେ ଶେଷ ହେବ। ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗୋଟିଏ ଡପଲର୍ ରାଡାରର ନିର୍ମାଣ ଦ୍ରୁତ ଗତିରେ ଚାଲିଛି। ପୁରୀଠାରେ ଆଉ ଏକ ନୂଆ ରାଡାର ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନା ରହିଛି।

ଏହି ଅତ୍ୟାଧୁନିକ ବ୍ୟବସ୍ଥା ଦ୍ୱାରା ପାଣିପାଗ ପୂର୍ବାନୁମାନ ପ୍ରକ୍ରିୟା ପୂର୍ବଠାରୁ ଅଧିକ ସହଜ, ନିଖୁଣ ଏବଂ ତ୍ୱରିତ ହୋଇପାରିବ। ଡପଲର୍ ରାଡାର ସଂଖ୍ୟା ବୃଦ୍ଧି ହେଲେ ବିଶେଷ କରି ବାତ୍ୟା ଓ ପ୍ରବଳ ବର୍ଷା ସମୟରେ ଅଧିକ ସଠିକ୍ ସୂଚନା ମିଳିପାରିବ, ଯାହା ବିପର୍ଯ୍ୟୟ ମୁକାବିଲାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *