ଉପକୂଳ ଅତିକ୍ରମ କଲା ବାତ୍ୟା ‘ଅର୍ଣ୍ଣବ’ ; ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର (ସଂକେତ ଟିଭି): ଦୀର୍ଘ ୬ ଘଣ୍ଟା ୩୦ ମିନିଟର ସଂଘର୍ଷ ପରେ ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗ ଅତିକ୍ରମ କରିଛି। ରାତି ୨ଟାରୁ ସକାଳ ୮ଟା ୩୦ ପର୍ଯ୍ୟନ୍ତ ଉପକୂଳ ଅତିକ୍ରମ କରିବା ସମୟରେ ଏହା ଦୁର୍ବଳ ହୋଇ ଏକ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫-୧୩୫ କିଲୋମିଟର ରହିଥିଲା ଏବଂ ଝଟକା ସହ ପବନ ଘଣ୍ଟା ପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ଆନ୍ଧ୍ରପ୍ରଦେଶର ବାପାଟଲା ଏବଂ ବିଶାଖାପାଟଣା ମଧ୍ୟରେ, ୟାନମର ଦକ୍ଷିଣ ଦିଗ ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁଛି।
ସମୁଦ୍ର ମଧ୍ୟରେ ଶକ୍ତିଶାଳୀ ହୋଇ ସ୍ଥଳଭାଗକୁ ମାଡ଼ି ଆସିଥିବା ବାତ୍ୟାର ପ୍ରଭାବ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଦେଖିବାକୁ ମିଳିଛି। ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହେଉଥିବା ବେଳେ ରାଜଧାନୀ ସମେତ କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି। ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଦକ୍ଷିଣ ଓଡ଼ିଶାଠାରୁ ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି।
ଆଜି ଉପକୂଳ ଆନ୍ଧ୍ରପ୍ରଦେଶ ଓ ୟାନମ, ଓଡ଼ିଶା ଏବଂ ଛତିଶଗଡ଼ରେ କିଛି ସ୍ଥାନରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ସତର୍କ ରହିବା ଏବଂ ପାଣିପାଗ ସମ୍ବନ୍ଧୀୟ ସରକାରୀ ପରାମର୍ଶଗୁଡ଼ିକୁ ପାଳନ କରିବାକୁ କୁହାଯାଇଛି।
ଆଗାମୀ ୪୦ ଘଣ୍ଟା ଯାଏଁ ‘ଅର୍ଣ୍ଣବ’ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଥିବାରୁ ବଙ୍ଗୋପସାଗରରୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ବୃଷ୍ଟିପାତ ଦୃଷ୍ଟିରୁ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
